ନୂଆବହିରେ ତ୍ରୁଟିକୁ ନେଇ ଅଭିଭାବକ ଅସନ୍ତୋଷ
ଜୟପୁର, ୨୫ ଜୁନ୍ (ହି.ସ.)- କୋରାପୁଟ ଜିଲାର ୧୪ଟି ବ୍ଲକ ଓ ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ରଜ ଛୁଟି ପରେ ଖୋଲୁଛି । ନୂଆ ଶିକ୍ଷାବର୍ଷ ଆରମ୍ଭ ସହ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ଭାବେ ବଦଳିଛ
ନୂଆବହିରେ ତ୍ରୁଟିକୁ ନେଇ ଅଭିଭାବକ ଅସନ୍ତୋଷ


ଜୟପୁର, ୨୫ ଜୁନ୍ (ହି.ସ.)- କୋରାପୁଟ ଜିଲାର ୧୪ଟି ବ୍ଲକ ଓ ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ରଜ ଛୁଟି ପରେ ଖୋଲୁଛି । ନୂଆ ଶିକ୍ଷାବର୍ଷ ଆରମ୍ଭ ସହ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ଭାବେ ବଦଳିଛି । ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ନୂତନ ବହି ଛାତ୍ରଛାତ୍ରୀଙ୍କ ହାତକୁ ଆସିସାରିଥିଲେ ମଧ୍ୟ ଏହାକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଉଦ୍ବେଗ ଓ ଅସନ୍ତୋଷ ଦେଖାଦେଇଛି । ପୁସ୍ତକ ହାତରେ ଆସିବା ପରେ ଶିକ୍ଷକମାନେ ଭଲ ଭାବେ ପରଖିବା ପରେ ଜଣାପଡ଼ିଛି ଯେ ଅନେକ ବହିରେ ଗମ୍ଭୀର ତ୍ରୁଟି ରହିଛି । କେତେକ ବହିରେ ଛାପା ଭୁଲ, ବାକ୍ୟ ରଚନା ତ୍ରୁଟି ଥିବାବେଳେ କେତେକ ଅଧ୍ୟାୟରେ ତଥ୍ୟ ଭୁଲ ରହିଛି । ବିଜ୍ଞାନ, ଭୂଗୋଳ, ଗଣିତ ବହି ପରି ବିଷୟରେ ପ୍ରଶ୍ନର ଭୁଲ ଉତ୍ତର ଦିଆଯାଇଥିବା ବେଳେ କେତେକ ସ୍ଥାନରେ ଅଧ୍ୟାୟର କ୍ରମ ବି ଅସମ୍ପୂର୍ଣ୍ଣ ରହିଛି । ଏହି ଭୁଲ ବହି ପଢ଼ି ପିଲାମାନେ ଭୁଲ ଶିଖିବେ ବୋଲି ଶିକ୍ଷକମାନେ ଆଶଙ୍କା କରୁଛନ୍ତି । ସମସ୍ୟା ଆଉ ଗୋଟିଏ ପଟେ । କୋରାପୁଟ ଜିଲାରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଛି । ଏହି ସ୍କୁଲ୍ ଗୁଡ଼ିକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ଅଧିକାଂଶ ନୂତନ ପାଠ୍ୟକ୍ରମ ଓ ନୂଆ ବହି ଉପରେ କୌଣସି ପ୍ରକାର ତାଲିମ ପାଇନାହାନ୍ତି । ପୁରୁଣା ପାଠ୍ୟକ୍ରମରେ ବର୍ଷ ବର୍ଷ ଧରି ଅଭ୍ୟସ୍ତ ହୋଇଥିବା ଶିକ୍ଷକମାନେ ନୂଆ ବହିର ଶିକ୍ଷଣ ଶୈଳୀ, କାର୍ଯ୍ୟକଳାପ ଆଧାରିତ ଶିକ୍ଷା ଓ ନୂଆ ମୂଲ୍ୟାଙ୍କନ ପ୍ରଣାଳୀ ସହ ଜଡ଼ିତ ନୁହଁନ୍ତି । ଫଳରେ କ୍ଲାସ୍ ରେ ପିଲାଙ୍କୁ କେମିତି ବୁଝାଇବେ ସେ ନେଇ ସେମାନେ ଦ୍ଵନ୍ଦରେ ପଡ଼ିଛନ୍ତି । ଅନେକ କହିଛନ୍ତି ଯେ, ବହି ପଢ଼ିଲେ ନିଜେ ହିଁ ସମ୍ପୂର୍ଣ୍ଣ ବୁଝିପାରୁନାହାନ୍ତି, ତେବେ ପିଲାଙ୍କୁ କ'ଣ ପଢ଼ାଇବେ । ଏହି ସ୍ଥିତିକୁ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ କହିବା କଥା, ଗୋଟିଏ ପଟେ ବହିରେ ଭୁଲ ଥିବାବେଳେ ଅନ୍ୟ ପଟେ ଶିକ୍ଷକଙ୍କୁ ଯଦି ତାଲିମ୍ ମିଳିନଥାଏ, ତେବେ ସେମାନଙ୍କ ପିଲାଙ୍କ ପାଠପଢ଼ାର ଭବିଷ୍ୟତ କ'ଣ ହେବ । ପରୀକ୍ଷା ପାଇଁ ପିଲାମାନେ କ'ଣ ପଢ଼ିବେ ଓ କେଉଁଟା ଠିକ୍ ବୋଲି ବିଚାର କରିବେ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଶିକ୍ଷା ବର୍ଷ ଆରମ୍ଭରୁ ଏଭଳି ଅବ୍ୟବସ୍ଥା ସମଗ୍ର ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତାକୁ ପ୍ରଶ୍ନ କରୁଛି । ସ୍କୁଲ୍ ଖୋଲିଛି, ଏବେ ତାଲିମ୍ ଆୟୋଜନ କେତେ ଫଳପ୍ରଦ ହେବ ତାହାକୁ ନେଇ ସନ୍ଦେହ ଉଠୁଛି । ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେଇ ବହିରେ ଥିବା ତ୍ରୁଟି ସୁଧାରିବା ପାଇଁ ଅବିଭାବକ ମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande