ବିଦ୍ୟୁତ୍ ଲାଇନ ମେନଙ୍କୁ ବଦଳି ଦାବିରେ ତାତିଲେ ବଡ଼ମାଳ ପଞ୍ଚାୟତବାସୀ
ବିଦ୍ୟୁତ୍ ଲାଇନ ମେନଙ୍କୁ ବଦଳି ଦାବିରେ ତାତିଲେ ବଡ଼ମାଳ ପଞ୍ଚାୟତବାସୀ
ବିଦ୍ୟୁତ୍ ଲାଇନ ମେନଙ୍କୁ ବଦଳି ଦାବିରେ ତାତିଲେ ବଡ଼ମାଳ ପଞ୍ଚାୟତବାସୀ


ସମ୍ବଲପୁର, ୨୬, ଜୁନ୍ (ହି.ସ.)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତରେ ଲଗାତାର ବିଦ୍ୟୁତ ବିଭ୍ରାଟ, ବିନା ସୁଚନାରେ ବିଦ୍ଯୁତ କାଟ୍ ଓ ଲାଇନମେନଙ୍କ ଖାମଖିଆଲି ନୀତିକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ଲାଇନମେନଙ୍କ ଆଚରଣରେ ଅତିଷ୍ଠ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ଜମନକିରା ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ନପାଇ ଭୋଜପୁର ଗ୍ରୀଡ଼ ଲାଇନମେନ ଅସିତ ପଟେଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ ଟାଟା ପାୱାର ବିଦ୍ୟୁତ୍ ଦାୟିତ୍ୱ ନେବା ପରଠାରୁ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ କାଟ୍ ଓ ବିଦ୍ୟୁତ୍ ବିଭ୍ରାଟ ପଞ୍ଚାୟତ ବାସୀଙ୍କୁ ଅତିଷ୍ଠ କରାଇଛି । ଏହା ସ୍ଵତ୍ବେ ବିଦ୍ୟୁତ ଉପଭୋକ୍ତା ମାନେ ନିୟମିତ ଭାବେ ନିଜର ବିଦ୍ୟୁତ୍ ଦେୟ ପଇଠ କରି ଆସୁଛନ୍ତି । ନିୟମିତ ବିଦ୍ୟୁତ୍ ଦେୟ ଦିଆ ଯାଉଥିଲେ ମଧ୍ୟ ଉପଭୋକ୍ତାଙ୍କୁ ଟାଟା ପାୱାର ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ରହିଆସୁଛି । ପ୍ରତି ମାସରେ ୨ ରୁ ୩ ଥର ମେଣ୍ଟେନେନ୍ସ ଆଳରେ ଦିନ ତମାମ ବିଦ୍ୟୁତ୍ ସରାବରହ ଠପ୍ ରହୁଥିବା ବେଳେ, ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ଅଘୋଷିତ ବିଦ୍ୟୁତ କାଟ୍ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇ ଉଠିଛି । ଏପରିକି କୌଣସି ସରକାରୀ ବେସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ପୂର୍ବ ସୂଚନା ଦେଲେ ମଧ୍ଯ ଏହି ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ୍ ହେବାର ନାଁ ନେଉନାହିଁ ।

ଏହିଭଳି ଅସୁବିଧାକୁ ନେଇ ଆଜି ବଡ଼ମାଳ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କୃଷ୍ଣଚନ୍ଦ୍ର ବାଘ ନାମକ ଜନୈକ ଯୁବକ କୁହନ୍ତି ଆମ ପଞ୍ଚାୟତର କେତେକ ଗ୍ରାମରେ ଲଗାତାର ତିନି ଦିନ ଧରି ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ସମସ୍ଯା କେବଳ ଏତିକିରେ ଶେଷ ହେଉନି, ସାମାନ୍ୟ ବର୍ଷା ବା ଘଡଘଡି ମାରିବା ମାତ୍ରେ ବିଦ୍ୟୁତ୍ କାଟ୍ ଏକ ପ୍ରହସନରେ ପରିଣତ ହୋଇଛି । ଏହିପରି ଅବ୍ଯବସ୍ଥା ଥରେ ଅଧେ ନୁହେଁ ଅବାରିତ ଭାବେ ଲାଗି ରହୁଥିବା ବେଳେ

ଲାଇନମେନ ରୋହନ ପଟେଲଙ୍କୁ ଜଣାଇଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ବିଦ୍ୟୁତ ସମସ୍ୟା ନେଇ କାର୍ଯ୍ୟାଳୟକୁ ଫୋନ୍ କଲେ କେହି ନଉଠାଇବା, ଉଠାଇଲେ ବାବୁ ନାହାଁନ୍ତି ଓ କେହି କର୍ମଚାରୀ ନାହାଁନ୍ତି କହି ଫୋନ୍ କାଟିଦେବା ଘଟଣା ଲୋକଙ୍କ ସହିବାର ଧୈର୍ଯ୍ୟ ଶକ୍ତିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି ।

ସେହିପରି ମୁକ୍ତେଶ୍ଵର ମାଝୀ କୁହନ୍ତି ଆମେ ଅଭିଯୋଗ କରିବା ପାଇଁ ସମସ୍ତ ଗ୍ରାମବାସୀ ୨ ଘଣ୍ଟା ଧରି ଅପେକ୍ଷା କରିଥିଲେ ଏଠାରେ କୌଣସି ଅଧିକାରୀ ବା କର୍ମଚାରୀ ଆମ ଦାବିପତ୍ର ନେବାପାଇଁ ଆଗ୍ରହ ପ୍ରକାଶ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୁଚିଣ୍ଡା ବିଦ୍ୟୁତ୍ ବିଭାଗ ଏସଡିଓଙ୍କୁ ଫୋନ୍ କଲେ ସେ ଫୋନ୍ ଉଠାଉ ନାହାଁନ୍ତି , ଜମନକିରା ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଫୋନ୍ କଲେ 'ଆଜି ଛୁଟି ମୁଁ ଯିବି ନାହିଁ'ର ଚିରାଚରିତ ଢଙ୍ଗରେ ସଫେଇ ଦେବା ଏବେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରାଇଛି । ସଠିକ୍ ସମୟରେ ବିଦ୍ୟୁତ୍ ଦେୟ ଦେଉଥିଲେ ମଧ୍ୟ ଏଭଳି ଦାୟିତ୍ବହୀନ ବିଦ୍ୟୁତ୍ ସେବାକୁ ନେଇ ଲୋକେ ନିଜର ଧୈର୍ଯ୍ୟ ହରାଇବା ସ୍ଥିତିରେ ପହଞ୍ଚିଲେଣି । ତେଣୁ ତୁରନ୍ତ ଲୋକଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande