
ଜୟପୁର ୨୨ ଜୁଲାଇ (ହି.ସ.) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବ ଭିଜିଲାନ୍ସ ଚଢ଼ାଉ କରି ଗିରଫ କରିଛି ।
ସୂଚନା ଅନୁଯାୟୀ, ‘ମା’ ଧରଣୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ମହିଳାମାନେ ଉକ୍ତ ଆଦର୍ଶ ବିଦ୍ୟାଳୟରେ ‘ହାଉସକିପିଂ’ ଏବଂ ‘ୱାଚ୍ ଆଣ୍ଡ ୱାର୍ଡ’ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସେମାନଙ୍କର ବକେୟା ୩ମାସର ଦରମା ବିଲ୍ ପାସ୍ କରାଇଦେବା ପାଇଁ ଅଧ୍ୟକ୍ଷ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଟଙ୍କା ନଦେଲେ ବିଲ୍ କରାଇ ନଦେବାକୁ ସେ ସିଧାସଳଖ ଧମକ ଦେଇଥିଲେ। ବିଦ୍ୟାଳୟର ଆହରଣ ଓ ବିତରଣ ଅଧିକାରୀ ଭାବେ ଚେକ୍ ପେମେଂଟ କ୍ଷମତା ଅଧ୍ୟକ୍ଷଙ୍କ ହାତରେ ଥିବାରୁ ସେ ଏହାର ଅସଦୁପଯୋଗ କରୁଥିଲେ। ପୂର୍ବରୁ ମଧ୍ୟ ସେ ଏହି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୨୦ ହଜାର ଟଙ୍କା ଲାଂଚ ନେଇସାରିଥିବା ଅଭିଯୋଗ ହୋଇଛି।
ତେବେ ଅଧ୍ୟକ୍ଷଙ୍କ ବାରମ୍ବାର ଶୋଷଣରେ ଅତିଷ୍ଠ ହୋଇ ମହିଳାମାନେ ହାର ନମାନି ସାହସର ସହ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ମହିଳାମାନେ ୧୦ ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଜୟପୁର ଓ କଳାହାଣ୍ଡି ଭିଜିଲାନ୍ସର ମିଳିତ ଟିମ୍ ତାଙ୍କୁ ରଙ୍ଗେହାତ କାବୁ କରିଥିଲା। ଉକ୍ତ ଚଢ଼ାଉରେ ଭବାନୀପାଟଣା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଏଇନ୍ଦ, ଇନ୍ସପେକ୍ଟର ଅଭୟା ପ୍ରଧାନଙ୍କ ସମେତ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ। ଭିଜିଲାନ୍ସ ଟିମ୍ ଅଧ୍ୟକ୍ଷ ସୀତାକାନ୍ତ ରଣାଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା ପାଇଁ ଅଭିଯୋଗକାରୀ ଦୁଇ ମହିଳାଙ୍କୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟକୁ ନେଇଛି। ଏଥିସହିତ ଅଧ୍ୟକ୍ଷଙ୍କ ଅସାଧୁ ଉପାୟରେ ଅର୍ଜିତ ସମ୍ପତି ଉପରେ ମଧ୍ୟ ଭିଜିଲାନ୍ସ ନଜର ରଖିଛି। ତାଙ୍କ ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ନିକଟସ୍ଥ ବାସଗୃହରେ ଭିଜିଲାନ୍ସ ଟିମ୍ ଜୋରଦାର ଚଢ଼ାଉ ଜାରି ରଖିଥିବା ବିଷୟ ଜୟପୁର ଭିଜିଲାନ୍ସ ତରଫରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି