
ଗୌହାଟୀ, ୨୪ ଜୁଲାଇ (ହି.ସ.)- ଅସମର ମୁଖ୍ୟମନ୍ତ୍ରୀ ଡ଼. ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର କହିଛନ୍ତି ଯେ ଉପର ଅସମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗୁରୁତର ରହିଛି। ସେ କହିଛନ୍ତି ଯେ ସାଧାରଣଠାରୁ ୪୦୦ ପ୍ରତିଶତ ଅଧିକ ବର୍ଷା ଏହି ଭୟାବହ ବନ୍ୟାର ଏକ ପ୍ରମୁଖ କାରଣ। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଲୋକ ସେବା ଭବନରେ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧନ କରୁଥିଲେ।
ବନ୍ୟା ପ୍ରଭାବିତ ଉପର ଅସମର ଜିଲ୍ଲାଗୁଡ଼ିକୁ ଦୁଇ ଦିନ ଧରି ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ଗୌହାଟୀ ପହଂଚି କହିଥିଲେ ଯେ ଶିବସାଗର ବିଧାନସଭା କ୍ଷେତ୍ରର ପ୍ରାୟ ୨୦ ପ୍ରତିଶତ ଏବଂ ନାଜିରା ବିଧାନସଭା କ୍ଷେତ୍ରର ପ୍ରାୟ ୩୦ ପ୍ରତିଶତ ଅଂଚଳକୁ ପ୍ରଶାସନ ଏପର୍ଯ୍ୟନ୍ତ ପହଂଚିପାରିନାହିଁ। ସଡ଼କ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ରିଲିଫ ସାମଗ୍ରୀ ପଠାଇବାରେ ମଧ୍ୟ ଅସୁବିଧା ହେଉଛି, ତଥାପି ପ୍ରଶାସନ ପ୍ରଭାବିତ ଲୋକଙ୍କ ପାଖରେ ସହାୟତା ପହଂଚାଇବା ପାଇଁ ନିରନ୍ତର ପ୍ରୟାସ କରୁଛି।
ସେ କହିଛନ୍ତି ଯେ ବନ୍ୟା ଯୋଗୁଁ ଲୋକଙ୍କ ଘର, ପଶୁଧନ ଏବଂ ଜୀବିକାରେ ବ୍ୟାପକ କ୍ଷତି ଘଟିଛି। ବର୍ତମାନ କ୍ଷତିର ସଠିକ୍ ଆକଳନ କରିବା ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି ଓ ପଶୁପାଳନ ମନ୍ତ୍ରୀମାନଙ୍କୁ ଆସନ୍ତା ତିନି ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନିକଟତମ ବନ୍ୟା ସମୟରେ ଲଖୀମପୁର ଓ ଧେମାଜି ଜିଲ୍ଲାକୁ ବଡ଼ କ୍ଷତିରୁ ରକ୍ଷା କରିବାରେ ଏନଏଚପିସିର ଗୁରୁତ୍ୱପୂର୍ଣ୍ଣ ଭୂମିକାର ମଧ୍ୟ ପ୍ରଶଂସା କରିଥିଲେ।
ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ଡ଼. ଶର୍ମା ଲୋକମାନଙ୍କୁ ବନ୍ୟା ପ୍ରଭାବିତ ପରିବାରମାନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ କୋଷକୁ ନିଜ ସାମର୍ଥ୍ୟ ଅନୁଯାୟୀ ଅବଦାନ ଦେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଏହି ସଙ୍କଟ ସମୟରେ ସରକାରୀ, ବେସରକାରୀ ଏବଂ ସାମୂହିକ ସହଯୋଗ ରିଲିଫ ଓ ପୁନର୍ବାସ କାର୍ଯ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ସମସ୍ତେ ଏକତ୍ରିତ ହୋଇ ବନ୍ୟା ପୀଡ଼ିତମାନଙ୍କୁ ସହାୟତା କରିବା ଉଚିତ।
----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ