
ଗୁୱାହାଟୀ, ୨୫ ଜୁଲାଇ (ହି.ସ.)- ଅସମ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ନିମ୍ନ ଅସମର ଧୁବ୍ରୀ, ଚିରାଙ୍ଗ ଏବଂ ବରପେଟା ଜିଲ୍ଲାରେ ମିଳିତ ଅଭିଯାନ ଚଳାଇ ପାକିସ୍ତାନ ଭିତିକ ଆତଙ୍କବାଦୀ-ଅପରାଧିକ ସଂଗଠନ ଶହଜାଦ ଭଟ୍ଟି ନେଟୱର୍କ (ଏସବିଏନ୍)ର ତିନିଜଣ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମୋବାଇଲ ଫୋନ୍, ସିମ୍ କାର୍ଡ, ବ୍ୟାଙ୍କିଙ୍ଗ ଦସ୍ତାବିଜ ଏବଂ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମାମଲାରେ ପରବର୍ତୀ ତଦନ୍ତ ଜାରି ରହିଛି।
ଅସମ ପୁଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଶନିବାର କହିଛନ୍ତି ଯେ, ଏସଟିଏଫ୍ ଥାନାରେ ରୁଜୁ ମାମଲା ସଂଖ୍ୟା ୦୬/୨୦୨୬ ସମ୍ପର୍କରେ ୨୪ ଜୁଲାଇରେ ଧୁବ୍ରୀ, ଚିରାଙ୍ଗ ଏବଂ ବରପେଟା ଜିଲ୍ଲା ପୁଲିସର ସହଯୋଗରେ ମିଳିତ ଅଭିଯାନ ଚାଲିଥିଲା। ଏହି ସମୟରେ ଏସବିଏନ୍ ସହ ଜଡ଼ିତ ତିନିଜଣ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ଧୁବ୍ରୀ ଜିଲ୍ଲାର ବେପାରୀପାରା ନିବାସୀ ଅକରମୁଲ ଇସ୍ଲାମ (୨୬), ଚିରାଙ୍ଗ ଜିଲ୍ଲାର ଧୂପିରୀ, ପାନବାରୀ ନିବାସୀ ଅମୀନୁର ରହମାନ (୨୨) ଏବଂ ବରପେଟା ଜିଲ୍ଲାର ଦବଣ୍ଡିଆ, କାଲଗାଛିଆ ନିବାସୀ ଅବ୍ଦୁଲ ହୁସେନ (୫୪) ବୋଲି ଜଣାପଡ଼ିଛି।
ସିପିଆରଓଙ୍କ ଅନୁସାରେ, ଶହଜାଦ ଭଟ୍ଟି ନେଟୱର୍କର କାର୍ଯ୍ୟକଳାପ ସମ୍ପର୍କରେ ମିଳିଥିବା ଠୋସ ଗୁପ୍ତଚର ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାମାନଙ୍କ ଅନୁସାରେ, ପାକିସ୍ତାନସ୍ଥିତ ଏହି ଆତଙ୍କବାଦୀ-ଅପରାଧିକ ନେଟୱର୍କ ଦେଶର ବିଭିନ୍ନ ଅଂଚଳରେ ଲୋକଙ୍କୁ ନିଯୁକ୍ତ କରିବା, ଅନଲାଇନ୍ କଟ୍ଟରପନ୍ଥ ପ୍ରସାର କରିବା, ରେକି (ନିରୀକ୍ଷଣ), ଲଜିଷ୍ଟିକ୍ ସହାୟତା, ଗୁପ୍ତଚରବୃତି, ଅସ୍ତ୍ରଶସ୍ତ୍ରର ବେଆଇନ କ୍ରୟ, ସ୍ଲିପର ସେଲ୍ ପ୍ରସ୍ତୁତ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବା ଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗର ସମ୍ମୁଖୀନ ହୋଇଛି।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ