
ନୂଆଦିଲ୍ଲୀ, ୨୫ ଜୁଲାଇ (ହି.ସ.) - ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ହସ୍ପିଟାଲ ସମ୍ବନ୍ଧୀୟ ଭାଇରାଲ ଭିଡିଓକୁ ନେଇ ଶନିବାର ସଫଦରଜଙ୍ଗ ହସ୍ପିଟାଲ ପ୍ରଶାସନ ନିଜ ପକ୍ଷ ରଖି ଏହାକୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପୂର୍ବର ଭିଡିଓ ବୋଲି କହିଛି। ହସ୍ପିଟାଲ କହିଛି ଯେ ଭାଇରାଲ ଭିଡିଓ ସେହି ସମୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ଉଚ୍ଚ ନ୍ୟାୟାଳୟଙ୍କ ଲିଖିତ ଆଦେଶ ହସ୍ପିଟାଲକୁ ମିଳିନଥିଲା।
ହସ୍ପିଟାଲ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଏହି ଭିଡିଓ ୨୧ ଜୁଲାଇ ୨୦୨୬ରେ ହସ୍ପିଟାଲ ପରିସରର ସେହି ଅଂଚଳରେ ରେକର୍ଡ କରାଯାଇଥିଲା, ଯେଉଁଠାରେ ଭିଡିଓ କରିବା ନିଷିଦ୍ଧ। ପ୍ରଶାସନର ଦାବି ଅନୁସାରେ, ଏହି ଭିଡିଓ କଥିତ ଭାବେ ସୋନମ ୱାଙ୍ଗଚୁକଙ୍କ ସହଯୋଗୀମାନେ ରେକର୍ଡ କରିଥିଲେ ଏବଂ ବର୍ତମାନ ଏହାକୁ ସାର୍ବଜନୀନ କରାଯାଇଛି। ହସ୍ପିଟାଲ ପ୍ରଶାସନର କହିବା ଅନୁଯାୟୀ, ଭିଡିଓ ରେକର୍ଡ ହେବା ସମୟ ପର୍ଯ୍ୟନ୍ତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଲିଖିତ ଆଦେଶ ହସ୍ପିଟାଲ ପ୍ରଶାସନ ପାଖକୁ ପହଂଚିନଥିଲା। ହସ୍ପିଟାଲ ପ୍ରଶାସନ କହିଛି ଯେ ୨୧ ଜୁଲାଇ ସନ୍ଧ୍ୟାରେ ଉଚ୍ଚ ନ୍ୟାୟାଳୟଙ୍କ ଲିଖିତ ଆଦେଶ ହସ୍ପିଟାଲକୁ ମିଳିଥିଲା, ଏହା ପରେ ତୁରନ୍ତ ସମସ୍ତ ପ୍ରକ୍ରିୟା ପାଳନ କରାଯାଇଥିଲା। ସେହିଦିନ ସନ୍ଧ୍ୟା ୬ଟା ୪୦ ମିନିଟରେ ସୋନମ ୱାଙ୍ଗଚୁକଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲର ଡାକ୍ତରୀ ଟିମ୍ଙ୍କୁ ହସ୍ତାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାଇରାଲ ଭିଡିଓରେ ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରୁ ବାହାରକୁ ଯିବାରୁ ଅଟକାଯାଉଥିବା ଦେଖାଯାଇଥିଲା। ଏହା ଉପରେ ସେ ପୁଲିସ ନିଜଙ୍କୁ ଗୃହବନ୍ଦୀ କରିଥିବା ଅଭିଯୋଗ କରୁଥିବା ଦେଖାଯାଇଥିଲେ। ଅନ୍ୟପକ୍ଷରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଗମୋ ଏକ୍ସରେ ଏକ ପୋଷ୍ଟ କରି ଅନେକ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ହେଉଛି, ମେଦାନ୍ତା ହସ୍ପିଟାଲର ମୁଖ୍ୟ ଗେଟ୍, ରିସେପ୍ସନ୍ ଓ ଆଇସିୟୁ ବାହାରେ ପୁଲିସ ଉପସ୍ଥିତ ଅଛି ଏବଂ ସେମାନେ ହିଁ ନିର୍ଦ୍ଧାରଣ କରୁଛନ୍ତି ଯେ ତାଙ୍କୁ କିଏ ଭେଟିପାରିବ ଏବଂ କିଏ ନୁହେଁ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ