




ସମ୍ବଲପୁର, ୦୯, ଜୁଲାଇ (ହି.ସ.)
ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଙ୍ଗନୱାଡି କର୍ମୀ ମାନଙ୍କ ସହିତ ସ୍ୱତନ୍ତ୍ର ବାର୍ତ୍ତାଳାପ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକର୍ମ ରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଅଙ୍ଗନୱାଡି କର୍ମୀ ମାନଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେ ସେମାନଙ୍କର ସମସ୍ୟା, ଅଭିଯୋଗ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ । ରାଜ୍ୟର ସମସ୍ତ ଶିଶୁ ଏବଂ ମାତୃବର୍ଗଙ୍କ ସୁସ୍ଥତା ତଥା ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ।ଏହାପରେ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଦିଗରେ କର୍ମୀମାନେ ସବୁଠାରୁ ବଡ଼ ସେତୁ ବୋଲି ସେ ପ୍ରକାଶ କରିଛନ୍ତି ।ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଖାଦ୍ୟ ଯେପରିକି ଛତୁଆ ପ୍ୟାକେଟ୍ ଯଦି ନିମ୍ନମାନର ହୋଇଥାଏ କିମ୍ବା ତାର ବ୍ୟବହାର ଅବଧି ଶେଷ ହୋଇଯାଇଥାଏ, ତେବେ ତାହାକୁ ଆଦୌ ଗ୍ରହଣ ନକରି ଲିଖିତ ଆକାରରେ ଫେରାଇ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସୁପୋଷିତ ଶିଶୁ ଗଠନ ପାଇଁ ସୁଷମ ଖାଦ୍ୟ ନିତାନ୍ତ ଆବଶ୍ୟକ।ଆଗାମୀ ଦିନରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଏକ ବିକଶିତ ଏବଂ ଆକର୍ଷଣୀୟ କେନ୍ଦ୍ର ଭାବରେ ଗଢିତୋଳାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ। ପ୍ରତ୍ୟେକ କେନ୍ଦ୍ରରେ ଶତପ୍ରତିଶତ ସ୍ୱଚ୍ଛ ଶୌଚାଳୟ, ପାନୀୟ ଜଳ, ସୁଦୃଢ଼ ପାଚେରୀ ଏବଂ ପୁଷ୍ଟି ବଗିଚା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ମାତୃ ଓ ଶିଶୁ ମଙ୍ଗଳ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମମତା ଯୋଜନା ଏବଂ ପୋଷଣ ଟ୍ରାକର ମାଧ୍ୟମରେ ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ତଥା ଓଜନର ସଠିକ୍ ପରିଚାଳନା କରିବା କର୍ମୀମାନଙ୍କର ପ୍ରାଥମିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ। ମାଆମାନଙ୍କୁ ସଠିକ୍ ଡାଏଟ୍ ପ୍ଲାନ୍ ବିଷୟରେ ସଚେତନ କରାଇବା ଦରକାର ଯାହାଦ୍ୱାରା ଏକ ଆତ୍ମବିଶ୍ୱାସୀ ପରିବାର ଗଠନ ହୋଇପାରିବ।ଅନ୍ୟର ସେବା କରିବା ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଅଙ୍ଗନବାଡ଼ି କର୍ମୀମାନଙ୍କ ଇନ୍ସୁରାନ୍ସ ଏବଂ ଅବସରକାଳୀନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ସଚେଷ୍ଟ ଅଛନ୍ତି ବୋଲି କହିଥିଲେ । ପରିଶେଷରେ, ୨୦୩୬ ମସିହା ସୁଦ୍ଧା ଏକ 'ବିକଶିତ ଓଡ଼ିଶା'ର ସ୍ୱପ୍ନ ପୂରଣ କରିବାକୁ ହେଲେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପୂର୍ଣ୍ଣ ସମର୍ପଣ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଅତିରିକ୍ତ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ ସୁମିତ୍ରା ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷତ୍ରି, ରେଙ୍ଗାଲିର ପୂର୍ବତନ ବିଧାୟକ ଏବଂ ସାଂସଦ ପ୍ରତିନିଧି ନାଉରୀ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସ୍ଥାନୀୟ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ମହିଳାମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ