ଏମଏମଡିଆର (ସଂଶୋଧନ) ବିଲ୍ କୁ ନେଇ ବିରୋଧୀଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ମୋଦୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଂଚିଛି - ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟ
Dharmendra pradhan


ମୋଦୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଂଚିଛି

- ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି

ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତା ଜାରି କରି ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬' କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହାର କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ ବାର୍ତା ଜାରି କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ। ସୁବିଧାବାଦୀ ରାଜନୈତିକ ଫାଇଦା ନେବା ପାଇଁ ନବୀନ ବାବୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଠିକ୍ ନୁହେଁ।

ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ଯେ, ମୋଦୀ ସରକାର ଆଣିଥିବା ଏହି ନୂଆ ଏମଏମଡିଆର ବିଲ୍ ହେଉଛି ଦେଶର ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ôଥକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ । ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ ୧୪ ପ୍ରକାରର ଅଲଗା ଅଲଗା ଅତ୍ୟଧିକ ଟିକସ ଲଗାଉଥିଲେ। ଏମଏମଡିଆର ବିଲ୍ ର ଧାରା ୯ଡି ରାଜ୍ୟଗୁଡ଼ିକରୁ ମୂଳ ରାଜସ୍ୱ ନ ଛଡ଼ାଇ ମଲଟି-ଲେଭଲ୍ ଟ୍ୟାତ୍ସ ବୋଝକୁ ରୋକିବା ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଛି। ପୁରୁଣା ବକେୟା ଟିକସ ବୋଝ ଯୋଗୁଁ ଅନେକ ଖଣି କମ୍ପାନୀ ବନ୍ଦ ହେବାର ସମ୍ଭାବନା ଥିଲା। ଏହି ବିଲ୍ ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁରର ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇ ଯାଇଛି ଏବଂ ଖଣି ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି, ବୃତି ଓ ଜୀବିକା ସୁରକ୍ଷିତ ହୋଇପାରିଛି।

ଖଣି ଉପରେ ୭୦% ରୁ ୮୦% ମନୋମୁଖୀ ଟିକସ ଲଦିଲେ ଲୁହା, କୋଇଲା, ସିମେଂଟର ଦାମ୍ ଆକାଶଛୁଆଁ ହୋଇଥାନ୍ତା, ଯାହାଦ୍ୱାରା ସପ୍ଲାଇ ଚେନ୍, ଶିଳ୍ପ ଓ ଭିତିଭୂମି ବିକାଶ ବାଧାପ୍ରାପ୍ତ ହୋଇଥାନ୍ତା। ଓଡ଼ିଶାର ସାଧାରଣ ମଧ୍ୟବିତ ପରିବାରଟିଏ ଘର ତିଆରି କରିବା ସହ ମୋଟରସାଇକେଲ, ଟ୍ରକ୍ ଓ ଟ୍ରାକ୍ଟର କିଣିବା ମଧ୍ୟ କଷ୍ଟକର ହୋଇପଡ଼ିଥାନ୍ତା। ଏହି ବିଲ୍ ସାଧାରଣ ଲୋକଙ୍କୁ ଏହି ମହଙ୍ଗା ମାଡ଼ରୁ ରକ୍ଷା କରିଛି । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ଓଡ଼ିଶା ଯେଉଁ ନିଲାମ ପ୍ରିମିୟମ୍, ରୋୟାଲଟି ଓ ଡିଏମଏଫ ପାଉଥିଲା, ତାହାର ୧୦୦ ପ୍ରତିଶତ ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ। ସାରା ଦେଶରେ ସମାନ ଖଣି ଟିକସ ନୀତି ଲାଗୁ ହେଲେ ବ୍ୟବସାୟ ସୁଗମ ହେବା ସହ ରାଜ୍ୟମାନଙ୍କର ଆର୍ôଥକ ବ୍ୟବସ୍ଥା ସୁଧୁରିବ। ଏଥିପାଇଁ ଆମର ସମସ୍ତ ସାଂସଦମାନେ ଏହାକୁ ସମର୍ଥନ କରିଛନ୍ତି।

ତେବେ ଗତକାଲି ନବୀନ ବାବୁ ଯାହା କହିଛନ୍ତି, ତାହା ଓଡ଼ିଶାବାସୀଙ୍କୁ ଭ୍ରମିତ କଲା ଭଳି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲାଲକିଲ୍ଲା ଭାଷଣରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ପୂର୍ବ ଭାରତ ସମେତ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି, ତାଙ୍କ ବାବଦରେ ପ୍ରଶ୍ନ ଉଠାଇବା ପୂର୍ବରୁ ନବୀନ ବାବୁ ନିଜର ୨୪ ବର୍ଷର ରିପୋର୍ଟ କାର୍ଡ ଦେଖି ଆତ୍ମସମୀକ୍ଷା କରିବା ଦରକାର।

ନବୀନ ବାବୁଙ୍କୁ ତାଙ୍କ ୨୪ ବର୍ଷର ରିପୋର୍ଟ କାର୍ଡ଼ ମନେପକାଇ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନବୀନ ବାବୁ କ୍ଷମତାରେ ଥିବାବେଳେ ୨୦୦୪ ମସିହାରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ଆୟ ଥିଲା ମାତ୍ର ୧,୦୦୦ କୋଟି।୨୦୧୪ ପର୍ଯ୍ୟନ୍ତ (ଯେଉଁ ପର୍ଯ୍ୟନ୍ତ ମୋଦୀ ସରକାର ଖଣି ନୀତିରେ ସଂସ୍କାର ଆଣିନଥିଲେ) ଏହା ମାତ୍ର ୫,୦୦୦ କୋଟିରେ ସୀମିତ ଥିଲା, କାରଣ ସେତେବେଳେ ଖଣି କମ୍ପାନୀମାନଙ୍କୁ ଶାଗ ମାଛ ଦରରେ ଖଣି ବଣ୍ଟାଯାଉଥିଲା। ଭାଇ-ବନ୍ଧୁ-କୁଟୁମ୍ବ ହିସାବରେ ଓଡ଼ିଶାର ନିର୍ଦ୍ଦିଷ୍ଟ କେତେକ ପରିବାର ଗୁଡ଼ିକୁ ଖଣି ଟେକି ଦିଆଯାଉଥିଲା। ୨୦୧୫ରେ ମୋଦୀ ସରକାର ଏମଏମଡିଆର ଆଇନରେ ଐତିହାସିକ ସଂଶୋଧନ ଆଣି ମନମୁଖୀ ଖଣି ବଂଟନ ବନ୍ଦ କଲେ ଏବଂ ସ୍ୱଚ୍ଛ ନିଲାମ' ପ୍ରକ୍ରିୟା ବାଧ୍ୟତାମୂଳକ କରି ପାରଦର୍ଶିତା ଆଣିଲେ। ଏଥିସହିତ ଏଡି ଭାଲୋରେମ୍ ରୋୟାଲଟିକୁ ମଧ୍ୟ ୧୦% ରୁ ୧୫% କୁ ବୃଦ୍ଧି କରାଗଲା। ରାଜ୍ୟରେ ଜନହିତକର ଯୋଜନା ପାଇଁ ଡିଏମଏଫ୍ ବ୍ୟବସ୍ଥା ମଧ୍ୟ କରାଗଲା। ଏହି ସ୍ୱଚ୍ଛ ନୀତି ଯୋଗୁଁ ହିଁ ଯେଉଁ ଖଣିଜ ଆୟ ୫,୦୦୦ କୋଟି ଟଙ୍କାରେ ଅଟକିଥିଲା, ତାହା ୧୦ ଗୁଣା ବୃଦ୍ଧି ପାଇ ଆଜି ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠି ଜରିଆରେ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି। ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତି ଓ ରିଫର୍ମର ପ୍ରତିଫଳନ।

ଶ୍ରୀ ପ୍ରଧାନ ଉଦାହରଣ ଦେଇ କହିଛନ୍ତି ଯେ ଲୁହାପଥରର ହାରାହାରି ବିକ୍ରୟ ମୂଲ୍ୟ ଯଦି ଟନ୍ ପିଛା ୩,୦୦୦ ଟଙ୍କା ହୁଏ, ତେବେ ଓଡ଼ିଶା ସରକାରଙ୍କୁ ପ୍ରିମିୟମ୍ ବାବଦରେ ଅଧିକ ୩,୩୦୦ ଟଙ୍କା (ଯାହା ବିକ୍ରୟ ମୂଲ୍ୟର ୧୧୦%), ରୋୟାଲଟି ବାବଦରେ ୪୫୦ ଟଙ୍କା ଏବଂ ଡିଏମ୍ଏଫ୍ ବାବଦରେ ୪୫ ଟଙ୍କା ମିଳେ। ଏପରି ମୋଟ ୩,୭୯୫ ଟଙ୍କା ଓଡ଼ିଶାର ରାଜକୋଷକୁ ଆସୁଛି। ମୋଦୀ ସରକାରଙ୍କ ଖଣି ସୁଧାର ନୀତି ଯୋଗୁଁ ରାଜସ୍ୱ କାହାର ବଢ଼ିଲା... ରାଜ୍ୟର ନା କେନ୍ଦ୍ରର? ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ଯେଉଁ ଖଣି ଟିକସ ଆଇନ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସେମାନେ ୨୦୦୪ରେ ଆଣିଥିଲେ। ୨୦୦୫ରେ ମାନ୍ୟବର ହାଇକୋର୍ଟ ତାହାକୁ ରଦ୍ଦ କରିବା ପରେ ବିଜେଡି ସରକାର ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ମାନ୍ୟବର ସୁପ୍ରିମକୋର୍ଟରେ ମାମଲା ଗଡ଼ାଇ ଚାଲିଲେ ଓ କୌଣସି ପଦକ୍ଷେପ ନେଲେ ନାହିଁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବୀନ ବାବୁ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦ କୋଟି ଟଙ୍କା ଥିଲା ବେଳେ ମୁଣ୍ଡ ପିଛା ଋଣ ଭାର ଥିଲା ୬୦୦୦ ଟଙ୍କା । ଯାହା ୨୦୨୪ରେ ନବୀନ ବାବୁଙ୍କ ଶାସନ ଶେଷ ବେଳକୁ ବୃଦ୍ଧି ପାଇ ୯୬,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏବଂ ମୁଣ୍ଡପିଛା ଋଣ ୨୬,୦୦୦ ଟଙ୍କାରେ ପହଞ୍ଚିଥିଲା। ଏହା କ’ଣ ନବୀନ ବାବୁଙ୍କ ଆର୍ôଥକ ସଂସ୍କାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନବୀନ ବାବୁ ଆପଣ ଯୁବବର୍ଗର ଭବିଷ୍ୟତ କଥା କହି ସେମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏପରି କଥା ଆପଣଙ୍କ ମୁହଁରେ ଶୋଭାପାଉନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ବାଟମଣା ନ କରି ଏହି ବିଲ୍ ଦ୍ୱାରା ଓଡ଼ିଶା କ’ଣ ଲାଭ ପାଇବ, ତାହା ଉପରେ ନିଜର ମତ ରଖିବାକୁ ଶ୍ରୀ ପ୍ରଧାନ ବିଜେଡି ନେତା ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande