ଏଗ୍ରୀଷ୍ଟାକ୍ ବାଧ୍ୟତାମୂଳକ ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ଗର୍ଜନ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
Farmers meeting of Lakhanpur
Farmers meeting of Lakhanpur


Jharsuguda, 20 ଅଗଷ୍ଟ (ହି.ସ.)

ଭଅଁରଖୋଲ ଓ କଦମ୍ଡିହି ପଞ୍ଚାୟତର ଚାଷୀମାନଙ୍କୁ ନେଇ କଦମ୍ଡିହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଛି। ବରିଷ୍ଠ ଚାଷୀ ଶିବାଜୀ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନର ପ୍ରବକ୍ତା ବିରଞ୍ଚି ସାହୁ ଓ ସମ୍ପାଦକ ଗୋପୀନାଥ ମାଝୀ ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ବୈଠକରେ ଏଗ୍ରୀଷ୍ଟାକ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତିକୁ ଚାଷୀମାନେ ତୀବ୍ର ବିରୋଧ କରିଥିଲେ। ଏହା ଯୋଗୁଁ ପଞ୍ଜୀକରଣ, ସାର ଯୋଗାଣ ଏବଂ ଭାଗଚାଷୀଙ୍କ ପଞ୍ଜୀକରଣ ଭଳି ବିଭିନ୍ନ ସମସ୍ୟାରେ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ କରାଯାଇଥିଲା।

ଚାଷୀମାନଙ୍କ ପକ୍ଷରୁ ଏଗ୍ରୀଷ୍ଟାକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ, ଗତବର୍ଷ ଭଳି ଭାଗଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ ଏବଂ ପୂର୍ବବର୍ଷଗୁଡ଼ିକ ଭଳି ସହଜ ଓ ସରଳ ଭାବେ ସାର ଯୋଗାଣ କରିବାକୁ ଦାବି ହୋଇଥିଲା। ଏଥିସହ ମେଗା ଲିଫ୍ଟ ଜଳସେଚନ ଅଞ୍ଚଳରେ ଖରିଫ ଋତୁରେ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବାକୁ ମଧ୍ୟ ଚାଷୀମାନେ ପ୍ରମୁଖ ଦାବି ଭାବେ ଉପସ୍ଥାପନ କରିଥିଲେ।

ଚାଷୀମାନଙ୍କ ଉପରୋକ୍ତ ଦାବିଗୁଡ଼ିକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୂରଣ ନକଲେ ଆଗାମୀ ଦିନରେ ଏକ ବୃହତ୍ ଚାଷୀ ଆନ୍ଦୋଳନର ସମ୍ମୁଖୀନ ହେବାକୁ ସରକାରଙ୍କୁ ପଡ଼ିବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା।

ବୈଠକରେ ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ଶିବାଜୀ ବେହେରା, ଶିବ ପ୍ରଧାନ, ଅମିନ ପ୍ରଧାନ, ହିମାଂଶୁ ପଟେଲ, ସୁରେନ୍ଦ୍ର ପ୍ରଧାନ, ଆଲୋକ ସାହୁ, ଦାଶରଥି ସାହୁ, ସଦାନନ୍ଦ ଧୁରୁଆ, ସଦାନନ୍ଦ ରୋହିଦାସ, ସୁରେନ୍ଦ୍ର ସାହୁଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଯୋଗଦେଇଥିଲେ। ଚାଷୀମାନେ ବିଭିନ୍ନ ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିବା ସହ ବର୍ତ୍ତମାନର ବ୍ୟବସ୍ଥାକୁ କଠୋର ସମାଲୋଚନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande