

ସମ୍ବଲପୁର, ୨୦, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅନ୍ତର୍ଗତ ଟିକ୍ରାପଡ଼ା ରେଳ ଫାଟକ ନିକଟ ମୁଖ୍ୟ ରାସ୍ତାରେ ଛୁରୀ ଦେଖାଇ ଲୁଟ୍ କରିବା ଘଟଣାରେ ପୋଲିସ ଦୁଇ ସମ୍ପୃକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜନୈକ ୨୩ ବର୍ଷିୟ ଯୁବକ ରାଜେନ୍ଦ୍ର କୁମାର ହୀରାକୁଦର ଏକ ଡେଲିଭରି କମ୍ପାନୀରେ କାର୍ଯ୍ୟ କରନ୍ତି । ସବୁଦିନ ପରି ଆଜି ସକାଳ ସାଢ ୮ଟା ବେଳେ ତରତର ହୋଇ ବାଇକରେ ସେ କାର୍ଯ୍ୟାଳୟକୁ ଯାଉଥିବା ବେଳେ ହଠାତ୍ ଟିକ୍ରାପଡ଼ା ରେଳ ଫାଟକ ନିକଟରେ ଅନିଲ ଦାସ ଓ ତା ସହଯୋଗୀ ବିକି ରାଜେନ୍ଦ୍ରଙ୍କୁ ଅଟକାଇ ପାଖରେ ଥିବା ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ରାଜେନ୍ଦ୍ରଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ଠାରୁ ଦେଢ ହଜାର ଟଙ୍କା, ୟାମାହା ଏମ୍ ଟି ୧୫ ବାଇକର ଚାବି ଓ ଗୋଟିଏ ଭିଭୋ ମୋବାଇଲ ଫୋନ ଲୁଟି ନେଇଥିଲେ। ପରେ ତାଙ୍କ ଫୋନ୍ ପେ’ରୁ ୧୬୦ ଟଙ୍କା ଏବଂ ହାତଘଡ଼ି ମଧ୍ୟ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଏନେଇ ରାଜେନ୍ଦ୍ର ଘଟଣା ସମ୍ପର୍କରେ ହୀରାକୁଦ ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ୍ ୧୭୬/୨୬ରେ ଏକ ମାମଲା ରୁଜୁ କରି ଦୁଇ ଲୁଟେରାଙ୍କୁ ଗିରଫ କରିବାକୁ ଜାଲ ବିଛାଇ ଥିଲା । ଶେଷରେ ବୁର୍ଲା ଥାନା ନେରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅଞ୍ଚଳର ବିକି ରାୟ ଓ ହୀରାକୁଦ ଥାନା ଟିକ୍ରାପଡ଼ା ଅଞ୍ଚଳର ଅନୀଲ ଦାସକୁ
ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟି ନେଇଥିବା ଦେଢ ହଜାର ଟଙ୍କା, ୟାମାହା ଏମ୍ ଟି -୧୫ ବାଇକର ଚାବି, ଫୋନ୍-ପେ ରୁ ଟ୍ରାଞ୍ଜାକ୍ସନ୍ ଆଇଡିର ଫଟୋକପି, ଭିଭୋ ମୋବାଇଲ, କ୍ରସବିଟ୍ ସ୍ମାର୍ଟୱାଚ୍ ସହ ୨ଟି ଛୁରୀ ଜବତ କରିଥିବା ଜଣାପଡିଛି ।
ହିରାକୁଦ ଥାନା ମାମଲା ନଂ-୧୭୬ରେ ଲୁଟ୍ ଘଟଣା, ୨ ଗିରଫ
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ