
ସମ୍ବଲପୁର, ୨୦ ଅଗଷ୍ଟ (ହି.ସ.)- ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ରାତି ୯ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ୧୫ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୧୦ଟି ଏବଂ ଡାହାଣ ପାଶ୍ୱର୍ ଡାଇକ୍ ର ୫ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୨୧.୫୬ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩ ହଜାର ୧୩୬ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ସ୍ଲୁଇସ୍ ଗେଟ୍, ସ୍ପିଲୱେ, ପାୱାର ଚେନେଲ, ଶିଳ୍ପ ବ୍ୟବହାର ଓ ବିଭିନ୍ନ କେନାଲ ଦେଇ ମୋଟ୍ ୩ ଲକ୍ଷ ୩ ହଜାର ୧୩୬ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୯.୭୯ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୨.୨୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ