
କୋଲକାତା, ୨୨ ଅଗଷ୍ଟ (ହି.ସ.)- ବନ୍ଦେ ମାତରମ୍'କୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ଉପରେ ବର୍ଷିଛନ୍ତି । ଶର୍ମିଲା ଟାଗୋର ନିକଟରେ କହିଥିଲେ ଯେ, ଏକ ଧାର୍ମିକ ବିବିଧତାପୂର୍ଣ୍ଣ ଦେଶରେ, ବନ୍ଦେ ମାତରମ୍' ର ସମ୍ପୂର୍ଣ୍ଣ ଗୀତକୁ ନେଇ କିଛି ସମ୍ପ୍ରଦାୟର ଲୋକମାନଙ୍କର ଆପତି ଥାଇପାରେ । ତାଙ୍କର ଏହି ମନ୍ତବ୍ୟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଶନିବାର ଦିନ ଏକ ଗଣମାଧ୍ୟମ ସାକ୍ଷାତକାରରେ ଶମିକ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଶର୍ମିଲା ଟାଗୋର ତାଙ୍କ ବ୍ୟକ୍ତିଗତ ମତାମତ ଦେବାକୁ ସ୍ୱାଧୀନ, କିନ୍ତୁ ସେ ଇତିହାସ ଏବଂ ତାଙ୍କ ପରିବାର ସନ୍ଦର୍ଭରେ ମଧ୍ୟ କହିବା ଉଚିତ୍ । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ମଧ୍ୟ ଶର୍ମିଲା ଟାଗୋରଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ଭାରତ ଉପରେ ଆକ୍ରମଣ କରିଥିବା, ମନ୍ଦିର ଧ୍ୱଂସ କରିଥିବା, ଲୋକଙ୍କୁ ହତ୍ୟା କରିଥିବା ଏବଂ ବଳପୂର୍ବକ ଧର୍ମ ପରିବର୍ତନ କରିଥିବା ତୈମୁରଙ୍କ ନାମ ଅନୁଯାୟୀ ତାଙ୍କ ଘରେ ମଧ୍ୟ ଏକ ନାମ ରହିଛି । ତାଙ୍କ ନାତିଙ୍କ ନାମ ତୈମୁର ଅଲ୍ଲୀ ଖାନ୍ । ତେଣୁ ସେ ବନ୍ଦେ ମାତରମ୍ ଉପରେ ଯେତେ କମ୍ କହିବେ, ସେତେ ଭଲ ।
ବାସ୍ତବରେ, ବନ୍ଦେ ମାତରମ୍ 'ର ସମ୍ପୂର୍ଣ୍ଣ ଗୀତକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ବିଜେପିର ଯୁକ୍ତି ହେଉଛି ଯେ ଗୀତର କେବଳ ପ୍ରଥମ ଦୁଇଟି ଅନ୍ତରାରେ ସୀମିତ ରହିବା ପରିବର୍ତେ ସମ୍ପୂର୍ଣ୍ଣ ଗୀତଟି ଗାନ କରାଯିବା ଉଚିତ୍ । ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ନୂତନ ଆଇନ ବିଷୟରେ ମଧ୍ୟ କୁହାଯାଇଛି ।
ଶର୍ମିଲା ଟାଗୋର କହିଥିଲେ ଯେ, ଦେଶରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ଏବଂ ଦେବୀ-ଦେବତାଙ୍କୁ ପୂଜା କରନ୍ତି ନାହିଁ । ତାଙ୍କ ମତରେ, ଗୀତର କିଛି ଧାଡ଼ି ଏପରି ଲୋକଙ୍କ ପାଇଁ ଅସହଜ ହୋଇପାରେ । ସେ କହିଥିଲେ ଯେ, ଗୀତର ପ୍ରାରମ୍ଭିକ ଦୁଇଟି ଅନ୍ତରା ମାତୃଭୂମି ପ୍ରତି ସମ୍ମାନ ଏବଂ ପ୍ରେମର ଭାବନା ବ୍ୟକ୍ତ କରିଥାଏ ଏବଂ ଏହାକୁ ବ୍ୟାପକ ଭାବେ ଗ୍ରହଣ କରାଯାଇପାରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ