
କୋଲକାତା, ୧୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୁର୍ଗା ପୂଜା ସମୟରେ ସ୍ଥାପନ ହେବାକୁ ଥିବା ଷ୍ଟଲ ଏବଂ କାର୍ଯ୍ୟକ୍ରମର ନାମ ବିଷୟରେ ଏକ ଦୃଢ଼ ବାର୍ତା ଦେଇଛନ୍ତି । ଗୁରୁବାର ଦିନ ବିଧାନସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ଦୁର୍ଗା ପୂଜା ଅବସରରେ ଲଗାଯାଇଥିବା ଷ୍ଟଲ୍ ଗୁଡ଼ିକରେ ଶାରଦୀୟ ଉତ୍ସବ' ପରିବର୍ତେଦୁର୍ଗା ପୂଜା' ଲେଖାଯିବା ଉଚିତ୍ । ସେ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଗା ପୂଜା ସ୍ଥାନରେ ଶାରଦୀୟ ଉତ୍ସବ 'ଲେଖାଥିବା ଷ୍ଟଲଗୁଡ଼ିକୁ ଅନୁମତି ଦିଆଯିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ଗା ପୂଜା ଏକ ସାର୍ବଜନିକ ପର୍ବ' ଭାବରେ ପାଳନ କରାଯାଏ ଏବଂ ଏହାକୁ ଆୟୋଜନ କରିବାରେ ଧାର୍ମିକ ପରିଚୟ ଆଧାରରେ କୌଣସି ଭେଦଭାବ ଗ୍ରହଣ କରାଯିବ ନାହିଁ । ସେ କହିଥିଲେ ଯେ, ପୂଜା ସମୟରେ ସମସ୍ତ ସମ୍ପ୍ରଦାୟର ଲୋକ ନିଜର ଧାର୍ମିକ ବିଶ୍ୱାସ ଏବଂ ପରମ୍ପରା ପାଳନ କରିବାର ସ୍ୱାଧୀନତା ପାଇବା ଉଚିତ୍ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ରାଜନୈତିକ ବିରୋଧ- ପ୍ରଦର୍ଶନ, ଆଇନ ଶୃଙ୍ଖଳା ଏବଂ ଧାର୍ମିକ ପରିଚୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ । କୌଣସି ପରିସ୍ଥିତିରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଗୋଷ୍ଠୀକୁ ଧାର୍ମିକ ପରିଚୟ ଆଧାରରେ ଟାର୍ଗେଟ କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଯଦି କୌଣସି ବିକ୍ଷୋଭ ସମୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ପୋଲିସର ଦାୟିତ୍ୱ । ଲୋକ ପ୍ରତିନିଧିମାନେ ହାତରେ ଲାଠି ଧରି ରାଜରାସ୍ତାକୁ ଆସିବାର ଆବଶ୍ୟକତା ନାହିଁ । ରାଜନୈତିକ ମତଭେଦ ସତ୍ୱେ ହିଂସା ଏବଂ ଉତେଜନା ସୃଷ୍ଟି ନକରିବାକୁ ସେ ନିବେଦନ କରିଥିଲେ ଏବଂ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ