ବଲାଙ୍ଗିର, ୨ ଅକ୍ଟୋବର (ହି.ସ.)- ଆଜି ବଲାଙ୍ଗିର ଜିଲ୍ଲା ସଦରମହକୁମା ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ତରଣୀ ସୁନା, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ସନ୍ତୋଷ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ସମ୍ମାନନୀୟ ଅତିଥି ଗଣ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମାଲ୍ୟାର୍ପଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନାରେସତ୍ୟବନ୍ତ ବେଦବାଗ, ଇମ୍ମାମ ସାହେବ ମହମ୍ମଦ ମୁସାହିତ ରାଜା, ଶ୍ରୀ ପିନୁଏଲ ନାଗ, ଶ୍ରୀ ଯଶବୀର ସିଂ ପ୍ରମୁଖ ନିଜ ନିଜ ଧର୍ମର ସାରତତ୍ତ୍ବ ବକ୍ତବ୍ୟ ମାଧ୍ୟମରେ ପ୍ରତିପାଦନ କରିଥିଲେ । ଉପସ୍ଥିତ ସମ୍ମାନିତ ଅତିଥିଗଣ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କେବଳ ଉତ୍ସବରେ ସୀମିତ ନରଖି, ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧକୁ ପ୍ରୟୋଗ କରିବା ସହ ସତ୍ୟ,ଶାନ୍ତି ,ଦୟା, କ୍ଷମ। ତଥା ସଚ୍ଚୋଟତାର ଆଦର୍ଶରେ ଅନୁପ୍ରାଣିତ ହେବା ସହ ନାଗରିକର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିବାକୁ ଆହ୍ଵାନ ଜଣାଇଥିଲେ । ମହାପୁରୁଷ ମାନଙ୍କ ସରଳ କାର୍ଯ୍ୟ କଳାପ ଗୁଡ଼ିକୁ ଆପଣେଇ ନେଇ ସେମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସତ୍ୟ, ଅହିଂସା ଏବଂ ନିଃସ୍ୱାର୍ଥପର ସେବା ସ୍ଥାୟୀ ଶକ୍ତିର ସ୍ମରଣ କରାଏ ତଥା ମହାମନିଷୀଙ୍କ ନୀତିବାକ୍ୟକୁ ପାଳନ କରିବା ଦ୍ଵାରା ଏକ ଉତ୍ତମ ସମାଜର କାର୍ଯ୍ୟକଳାପ ଗୁଡିକୁ ପ୍ରତିଫଳନ ତଥା ଉତ୍ସାହିତ କରିଥାଏ । ମହାମନିଷୀ ମାନଙ୍କର ନୀତି ଶିକ୍ଷା ଗୁଡ଼ିକ ବିଶ୍ୱବ୍ୟାପୀ ଜନସମାଜକୁ ପ୍ରେରଣା ଯୋଗାଇ ଦେଇ ଦେବା ସହ ଏକ ସୁସ୍ଥ ତଥା ଶୃଙ୍ଖଳିତ ସମାଜ ର ବିଭିନ୍ନ ଦୃଷ୍ଟିକୋଣ ଗୁଡିକୁ ପ୍ରତିଫଳିତ କରି ଆସୁଛି ବୋଲି ସଭାପତି ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କିସ୍ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ବାପୁଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ଓ ବେଷ୍ଣବ ଜନତେ ପରିବେଷଣ କରାଯାଇଥିଲା । ଗାନ୍ଧି ଜୟନ୍ତୀ ଉପଲକ୍ଷେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ନାଗରିକ, ସମାଜସେବୀ, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୌରପରିଷଦର କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର ମାଝି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ