ଭବାନୀପାଟଣା, ୨ ଅକ୍ଟୋବର (ହି.ସ.)- କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମ ଧୁନ୍ ପରିବେଷଣ କରାଯାଇଥିଲା ଏବଂ ସହର ସ୍ଥିତ ଗାନ୍ଧି ଛକ,ଗାନ୍ଧୀ ପ୍ରମୋଦ ଉଦ୍ୟାନ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ଅବସ୍ଥାପିତ ଶାନ୍ତି କପୋତ ଶାସ୍ତ୍ରୀଜିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ (ଲୋକସଭା) କଳାହାଣ୍ଡି ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେସ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀ ପାଟଣା, ପ୍ରମୋଦ କୁମାର ପାଢ଼ୀ, ଶିକ୍ଷାବିତ୍ ଡଃ ଉମେଶ ଚନ୍ଦ୍ର ଶତପଥି, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ଆର୍ତ୍ତତ୍ରାଣ ମହାପାତ୍ର, ଜୟ ଶଙ୍କର ନାୟକ, ଡଃ ଭବାନୀ ଶଙ୍କର ନିଆଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ଗାନ୍ଧୀ ଛକ ଠାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ ସହିତ ସର୍ବଧର୍ମ ପ୍ରାର୍ଥନା, ଆଲୋଚନାଚକ୍ର, ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ତାଙ୍କ ଅଭିଭାଷଣ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଆଜିର ଛାତ୍ରଛାତ୍ରୀ ଯୁବପିଢ଼ି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନୋଭାବନେଇ କାର୍ଯ୍ୟକରିବା ପାଇଁ ଆହ୍ଵାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ଯୋଗଦେଇ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର ଅହିଂସା ର ପୂଜାରୀ ଗାନ୍ଧୀଜି ଓ ଶାନ୍ତି ଦୂତ ଶାସ୍ତ୍ରୀଜିଙ୍କ ଆଦର୍ଶ ଜୀବନୀ ଓ ଦେଶ ମାତୃକାର ସେବା ପାଇଁ ତାଙ୍କର ବଳିଷ୍ଟ ନେତୃତ୍ୱ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ। ଏଥିରେ ଶିକ୍ଷାବିଭାଗର ବିରଞ୍ଚି ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ