ପୁରୀ, ୨ ଅକ୍ଟୋବର (ହି.ସ.)- ଦଶହରାରେ ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲ । । ସଂନ୍ଧ୍ୟା ୭ଟା ୩୦ରେ ବେଶ ମଇଲମ (ବେଶ କଢା) ହୋଇଛି ।
ମହାପ୍ରଭୁଙ୍କ ଅବକାଶ ନୀତି ପରେ ସକାଳେ ଚନ୍ଦନ, ନୂଆ ଲୁଗା ଲାଗି ହୋଇଥିଲା । ୩୨ ମୂର୍ତି ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ଏହି ବେଶରେ ଭୂଷିତ କରାଯାଇଥିଲା । ନୂତନ ପାଟବସ୍ତ୍ର ଓ ଅଳଙ୍କାରରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀର ବେଶ ଧାରଣ କରି ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥିଲେ । ସେଠାରେ ବିଭିନ୍ନ ଦଶହରା ନୀତି ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀମନ୍ଦିରକୁ ଠାକୁର ମାନେ ବାହୁଡ଼ିଥିଲେ । ଆସନ୍ତା କାଲି ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ପୂଜା ମଣ୍ଡପରୁ ଦେବୀଙ୍କ ମୃଣ୍ମୟୀ ମୂର୍ତି ମେଢ଼ ସହ ପଟୁଆରରେ ଆସି ସିଂହଦ୍ୱାରରେ ଗୋଷାଣି ଯାତରେ ବିଜେ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ