
Bhubaneswar, 27 ଅକ୍ଟୋବର (ହି.ସ.)
• ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି 30 ତାରିଖ ପର୍ଯ୍ୟନ୍ତ ବାତିଲ
• ବିନା ଅନୁମତିରେ ହେଡକ୍ୱାର୍ଟରନ ନ ଛାଡିବାକୁ ସମସ୍ତଙ୍କୁ ନିର୍ଦେଶ
• ପରିମଳ ଓ ଜଳବନ୍ଦୀ ପାଇଁ ଆବଶ୍ୟକ ଲୋକବଳ, ଗାଡି, ରାଟ୍ ଟିମ୍, ମେସିନ ପ୍ରସ୍ତୁତ
ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କର ଛୁଟି ବାତିଲ କରାଯାଇଛି । କୌଣସି ଅଧିକାରୀ କିମ୍ବା କର୍ମଚାରୀ ବିନା ଅନୁମତିରେ ହେଡ୍ କ୍ୱାର୍ଟର ନ ଛାଡିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ସହରର ପରିମଳ ବ୍ୟବସ୍ଥା ଯେପରି ସୂଚାରୁ ଭାବେ ଏବଂ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଏଜେନ୍ସି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ନିର୍ଦେଶ ଦିଆଯାଇଛି । ସେମାନେ ଆବଶ୍ୟକ ଲୋକବଳ, ଗାଡି, ଯନ୍ତ୍ରପାତି ଆଦି ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।
ଡୋର୍ ଟୁ ଡୋର୍ ବର୍ଜ୍ୟ ସଂଗ୍ରହରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ମଧ୍ୟ ସତର୍କ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ଗ୍ରୀନ୍ ଗାର୍ବେଜ ଓ ଗୃହ ଭଗ୍ନାବଶେଷ ଉଠାଇବା ପାଇଁ ଆବଶ୍ୟକ ଗାଡି ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଡ୍ରେନଗୁଡିକରେ ବର୍ଷା ଜଳ ଯେପରି ବିନା ବାଧାରେ ଯାଇପାରିବ, ସେଥିପାଇଁ ଡ୍ରେନରୁ ପଙ୍କୋଦ୍ଧାର, ଜାମ୍ କିମ୍ବା ବନ୍ଦ ହୋଇଗଲେ, ତାହାକୁ ତୁରନ୍ତ ସଫା କରିବା ପାଇଁ ଆବଶ୍ୟକ ଲୋକବଳ, ମେସିନ, ରାଟ୍ ଟିମ୍, ଗାଡି ଆଦି ପ୍ରସ୍ତୁତ ରହିବା ସହ ଘାସ ଓ ଗଛ ଡାଳ କାଟିବା ପାଇଁ ଆବଶ୍ୟକ କଟର, ଲୋକ ଓ ଗାଡି ମଧ୍ୟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।
ଏହା ବ୍ୟତୀତ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ସେଠାରେ ପ୍ରତ୍ୟେକ ଏଜେନ୍ସି ଓ ସ୍ୱେଚ୍ଛାସେବୀ ସଂଗଠନ ନିଜ ନିଜର କର୍ମଚାରୀଙ୍କୁ ଅଭିଯୋଗ ଗ୍ରହଣ କରିବା ପାଇଁ ନିୟୋଜିତ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।
ଯଦିଓ ଆମ ସହର ୟେଲୋ ଜୋନ୍ ରେ ବର୍ତ୍ତମାନ ପାଇଁ ଅଛି ଏବଂ କାଲିକୁ ଅଧିକ ବୃଷ୍ଟିପାତ ସମ୍ଭାବନା ଅଛି ; ତେଣୁ ବି ଏମ୍ ସି ସଂଯୁକ୍ତ ବିଭାଗୀୟ ଟିମ୍ କୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି କହିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା।
ବିଭିନ୍ନ ପ୍ରସ୍ତୁତି ମଧ୍ୟରେ, ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଯାହାକି ସ୍କୁଲ, କମ୍ଯୁନିଟି ସେଣ୍ଟର ଇତ୍ୟାଦିକୁ ପ୍ରସ୍ତୁତିରେ ରଖାଯାଇଛି। ତେବେ ଏଥିପାଇଁ ଭୟଭୀତ ନହେବାକୁ ଭୁବନେଶ୍ବର ବାସୀଙ୍କୁ ନିବେଦନ କରିଛନ୍ତି କମିଶନର l
ନାଗରିକମାନେ 1929 କଣ୍ଟ୍ରୋଲ ରୁମକୁ (24×7) ଫୋନ କରିବେ ଏବଂ ଆମ କର୍ପୋରେଟର୍ ମାନଙ୍କୁ , ୱାର୍ଡ ଅଫିସରଙ୍କୁ ମଧ୍ୟ ଫୋନ କରି ଜଣାଇପାରିବେ ବୋଲି ସେ କହିଛନ୍ତି l
ଜଳ ନିଷ୍କାସନ ପାଇଁ ଫ୍ୟାୟର ଏବଂ ବି ଏମ୍ ସି ପମ୍ପ୍ କୁ ପ୍ରସ୍ତୁତିରେ ରଖାଯାଇଛି l
ପରିମଳ ଜନିତ ଅଭିଯୋଗ ଶୁଣିବା ମାତ୍ରେ, ତୁରନ୍ତ ସମସ୍ୟାର ସମାଧାନ ହୋଇପାରିବ । ଏହି ସମୟ ମଧ୍ୟରେ ସମସ୍ତ ଏଜେନ୍ସି, ସ୍ୱେଚ୍ଛାସେବୀ ସଂଗଠନ, ଅଧିକାରୀ ଓ କର୍ମଚାରୀ ସହରର ସମସ୍ତ ଅଂଚଳରେ ସତର୍କ ନଜର ରଖିବା ସହ ତତକ୍ଷଣାତ୍ ସମସ୍ୟା ସମାଧାନ କରିବାକୁ ଦାଗିଦ କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ବିଏମ୍ ସି ପ୍ରସ୍ତୁତ ରହିଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ । .
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା