
Bhubaneswar, 27 ଅକ୍ଟୋବର (ହି.ସ.)
ବିଜୁ ଜନତା ଦଳ (ବିଜେଡି)ର ସାଂସ୍କୃତିକ ସମନ୍ୱୟ ସେଲ୍ ଦ୍ୱାରା ଆଜି ପୂର୍ବାହ୍ନରେ ଖରିଆର ରୋଡ୍ ଏନ୍ଏସି ସ୍ଥିତ ଶ୍ରୀ ଗଣପତି ପ୍ୟାଲେସ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ କୋମନା ଓ ନୂଆପଡା ବ୍ଲକର ୬୩ଟି ଗ୍ରାମପଞ୍ଚାୟତର ସାଂସ୍କୃତିକ ସମନ୍ୱୟକାରୀଙ୍କ ସମେତ ଖରିଆର ରୋଡ୍ ଏନ୍ଏସି ଓ ନୂଆପଡା ଏନ୍ଏସିରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଜେଡି ଶାସନ ସର୍ବଦା ଓଡିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ତଥା ପ୍ରଚାର ପାଇଁ କାମ କରିଆସିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ସମ୍ୱଲପୁରର ମା' ସମଲେଶ୍ୱରୀଙ୍କ ମନ୍ଦିରରେ ହୋଇଥିବା ୫-ଟି ରୂପାନ୍ତରଣ' କାର୍ଯ୍ୟ ଏହି ପ୍ରତିବଦ୍ଧତାର ଶ୍ରେଷ୍ଠ ଉଦାହରଣ ।
ଶ୍ରୀ ମିଶ୍ର ଲୋକାଳିତ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ସୁରକ୍ଷା ଦେବାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ନୂଆପଡ଼ାର ଦିବଙ୍ଗତ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସ୍ମରଣ କରି ସେ କହିଥିଲେ ଯେ, ସଂସ୍କୃତି ଓ ପରମ୍ପରା ପ୍ରତି ଶ୍ରୀ ଢୋଲକିଆଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା । ସେ ନିଜେ ମଧ୍ୟ ବାଦ୍ୟଯନ୍ତ୍ରରେ ରୁଚି ରଖିଥିଲେ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ।
ପ୍ରବୀର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ସାଂସ୍କୃତିକ ସମନ୍ୱୟକାରୀମାନେ ଉତ୍ସାହର ସହ ଯୋଗଦେଇ ତୃଣମୂଳ ସ୍ତରରେ ସଂସ୍କୃତି ସୁରକ୍ଷା ଓ ସାମାଜିକ ସଦ୍ଭାବନା ପ୍ରତି ବିଜେଡିର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା