କାଳୀ ପୂଜାରେ କମ୍ପୁଛି ଚାନ୍ଦବାଲି, ମନ ମୋହୁଛି ମୀନା ବଜାର
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଚାନ୍ଦବାଲି କାଳୀ ପୂଜାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ଠିକ୍ ଅପରାହ୍ନ ୦୪ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନେ କାଳୀ ପୂଜା ଯାତ୍ରା ମହୋତ୍ସବରେ ଭିଡ ଜମାଇ ମୀନା ବଜାରର ମଜା ନେଉଛନ୍ତି।ଚରଖା,
CHANDABALI KALI PUJA KAMPUCHI


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଚାନ୍ଦବାଲି କାଳୀ ପୂଜାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ଠିକ୍ ଅପରାହ୍ନ ୦୪ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନେ କାଳୀ ପୂଜା ଯାତ୍ରା ମହୋତ୍ସବରେ ଭିଡ ଜମାଇ ମୀନା ବଜାରର ମଜା ନେଉଛନ୍ତି।ଚରଖା, ରାମ ଦୋଳି,ବ୍ରେକ୍ ଡ୍ୟାନ୍ସ, ଡ୍ରାଗନ୍‌,ମୋତ୍ କା କୁଆଁ, ବିଭିନ୍ନ ପ୍ରକାରର ମନୋହରୀ ଦୋକାନ ସାଙ୍ଗକୁ ଅନେକ ଫୁଡ୍ ଷ୍ଟଲରେ ଲୋକମାନଙ୍କ ଭିଡ ପରିଲକ୍ଷିତ ହେଉଛି।ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ପାଖ ପଡୋଶୀ ଜିଲ୍ଲା କେନ୍ଦ୍ରାପଡାର ରାଜକନିକା, ଆଳି,ଓଳାଭର,ତାଳଚୁଆ, ଡାଙ୍ଗମାଳ,ରଙ୍ଗଣି ଏବଂ ଯାଜପୁର ଜିଲ୍ଲାର ପାର୍ଶ୍ୱବର୍ତୀ ଅଂଚଳ ସେହିପରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁମାନେ ମେଳା ବୁଲିବା ପାଇଁ ଆସୁଛନ୍ତି।ଗହଳି ଏବଂ ଭିଡକୁ ନଜରରେ ରଖି କମିଟି ତରଫରୁ ସି.ସି ଟିଭିର ବ୍ୟବସ୍ଥା କରାଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶୃଙ୍ଖଳା ରକ୍ଷା କରାଯାଉଛି। ଚଳିତ ଦୀପାବଳି ଅମାବାସ୍ୟା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପୂଜା ମହୋତ୍ସବ ଆଜି ଅଷ୍ଟମ ଦିନରେ ପଦାର୍ପଣ କରିଥିବା ବେଳେ ଗତକାଲି ମଧ୍ୟରାତ୍ରୀରେ କାଳୀ ମାଆଙ୍କ ନିକଟରେ ଛପନ ଭୋଗ ଲାଗି ପରେ ଚାଲିଥିବା ହୋମ ଯଜ୍ଞରେ ପୂର୍ଣ୍ଣାହୁତି ଦିଆ ଯାଇଛି। ଓଡିଶାର ପ୍ରତିଷ୍ଠିତ ଅପେରା ପାର୍ଟି କୋଣାର୍କ ଯାତ୍ରା ପରିବେଷଣ କରିସାରି ଯାଇଥିବା ବେଳେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଏବେ ଯାତ୍ରା ପରିବେଷଣ କରୁଛି।ଏହି ଯାତ୍ରା ମହୋତ୍ସବ ୨୯ ତାରିଖ ଦିନ ଶେଷ ହେବ। ଶେଷ ପର୍ଯ୍ୟାୟରେ ପହଁଚି ଥିବା ଚାନ୍ଦବାଲିର ଏହି ପ୍ରସିଦ୍ଧ କାଳୀପୂଜା ଯାତ୍ରା ମେଳାରେ ବହୁତ୍ ଭିଡ ଦେଖିବାକୁ ମିଳୁଛି।ଚଳିତ ବର୍ଷର କାଳୀ ପୂଜାରେ ଉଜ୍ଜ୍ୱଳ ଆଲୋକ ମାଳାରେ ରାସ୍ତାଘାଟ,ମନ୍ଦିର ପରିସର ଏବଂ ସୁଉଚ୍ଚ ତୋରଣ ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି।ଚଳିତ ବର୍ଷର କାଳୀ ପୂଜା ଯାତ୍ରା ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କାଳୀ କମିଟିର ଅଧ୍ୟକ୍ଷ ଦ୍ୱିଜବର ରାଉତ,ସମ୍ପାଦକ ନିତ୍ୟାନନ୍ଦ ବିଶ୍ୱାଳ,ବରିଷ୍ଠ ସଦସ୍ୟମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande