
ସମ୍ବଲପୁର / ନୁଆପଡା, ୨୭ ଅକ୍ଟୋବର (ହି.ସ.) ଆଜି ସୂର୍ଯ୍ୟଦେବଙ୍କ ପବିତ୍ର ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ୍ ପୂଜା ପାଳନ ହେଇଛି। ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟ ମାନେ ଥାନ୍ତି ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି । ଏହି କ୍ରମରେ ଆଜି ଅତି ଆନନ୍ଦ ଉତ୍ସାହର ସହିତ ନୂଆପଡା ଜିଲ୍ଲାରେ ମଧ୍ଯ ଛଟ୍ ପୂଜା ପାଳିତ ହୋଇଯାଇଛି । ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦଙ୍କ ସୁଅ ଛୁଟିଛି । ନୂଆପଡାର ବିଜେପି ପ୍ରାର୍ଥି ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ଦଳର ନେତା, ମନ୍ତ୍ରୀ, ସାଂସଦ ମାନଙ୍କର ମଧ୍ଯ ବେଶ୍ ଉପସ୍ଥିତି ଜିଲ୍ଲାରେ ରହିଛି ।
ନୂଆପଡ଼ା ସାର୍ବଜନୀନ ଛଟ୍ ପୂଜା କମିଟି ପକ୍ଷରୁ ଆୟୋଜିତ 'ଛଟ୍ ପୂଜା' ପାଳନ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସାଂସଦ ମାଳବିକା ଦେବୀ, ଯୁବନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ଏହି ସାର୍ବଜନୀନ ପୂଜାରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ବହୁତ ହର୍ଷଉଲ୍ଲାସ ମଧ୍ୟରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ହୋଇଥିଲା । ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ଅତ୍ୟନ୍ତ ନିଷ୍ଠାର ସହ ଛଟ୍ ପର୍ବ ପାଳନ କରି ସମସ୍ତଙ୍କ ସୁଖ, ସମୃଦ୍ଧି, ଉନ୍ନତି ଓ ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ