
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.)- ଦାଦନ ଦୁଃଖର ଦାରୁଣ ଦାରୁଣ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ରୋଜଗାର ଆଶାରେ ସୁଦୂର ତାମିଲନାଡୁ ଯାଇଥିବା ଜିଲ୍ଲା ସଦର ବ୍ଲକ ପର୍ଜୁନପୁର ପଞ୍ଚାୟତର କଲଣ୍ଡା ଗ୍ରାମର ଜଣେ ଯୁବକ ସେଠାରେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତକ ହେଉଛନ୍ତି କଲଣ୍ଡା ଗ୍ରାମର ରାଜେନ୍ଦ୍ର ମହାକୁଡ଼ (ବୟସ । ପ୍ରାୟ ୨୮/୩୦ ବର୍ଷ) । ଏହି ଖବର ପରେ କଲଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ରାଜେନ୍ଦ୍ର ମହାକୁଡ଼ ଅର୍ଥ ରୋଜଗାର ପାଇଁ ଗ୍ରାମର କିଛି ସାଙ୍ଗମାନ ମାନଙ୍କ ସହିତ ଚେନ୍ନାଇ ଯାଇ ସେଠାରେ ଏକ ଲୁଗା ଫ୍ୟାକ୍ଟିରେ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ରାତିରେ କୌଣସି କାରଣବଶତଃ ରାଜେନ୍ଦ୍ର ତାଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ସାଙ୍ଗମାନେ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ ପୋଲିସ ଶବକୁ ନିକଟସ୍ଥ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖିଛି। ତେବେ ରାଜେନ୍ଦ୍ର କେଉଁ କାରଣରୁ ଏପରି ଚରମ ପଦକ୍ଷେପ ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦାଦନ ଶ୍ରମିକମାନଙ୍କ ମଧ୍ୟରେ କାର୍ଯ୍ୟଭାର, ଅର୍ଥ ଅଭାବ, କିମ୍ବା ମାନସିକ ଚାପ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଚେନ୍ନାଇରେ ଉପସ୍ଥିତ ଥିବା ରାଜେନ୍ଦ୍ରଙ୍କ ଅନ୍ୟ ସାଙ୍ଗମାନେ ଏବେ ଅସହାୟ ଅବସ୍ଥାରେ ଅଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ ଶବକୁ ଓଡ଼ିଶା ଫେରାଇ ଆଣିବାରେ ଅସମର୍ଥ ହେବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। କଲଣ୍ଡା ଗ୍ରାମବାସୀ ଏବେ ଶବକୁ ଫେରାଇ ଆଣିବାକୁ ଆକୁଳତାର ସହ ଜିଲ୍ଲା ପ୍ରଶାସନର ସହଯୋଗକୁ ଅପେକ୍ଷା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA