
କୋରାଇ, ୨୭ ଅକ୍ଟୋବର (ହି.ସ.)- ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୋନ୍ଥା ବାତ୍ୟାର ପ୍ରଭାବ ଯଦି ଅଧିକ ହୁଏ ବା ଗତିପଥ ବଦଳାଏ ତାହେଲେ କୋରେଇ ବ୍ଲକର ୨୮ଟି ପଂଚାୟତର ଚାଷୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ବର୍ତମାନ ଧାନ ଥୋଡ ଗୁଡିକ କେଉଁଠି ଫୁଲ ଖେଳାଉଛି ତ କେଉଁଠି ସମ୍ପୂର୍ଣ୍ଣ ବାହାରି ସାରିଲାଣି । ଅଳ୍ପ କିଛି ଥୋଡ ଅବସ୍ଥାରେ ଅଛି । ପବନ ଅଧିକ ହେଲେ ଧାନର ଫୁଲ ପିଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ଧାନ ଅଗାଡି ହୋଇଯିବ । ଦରପାଚିଲା ଧାନ ଛିଡିଯିବ । ଚାଷୀ ବର୍ଷ ଯାକର ଅମଳ ବା ଆହାର ପାଇଁ ଋଣ ଓ କରଜ କରି ସମସ୍ତ ଅର୍ଥ ଜମିରେ ଲଗାଇ ଦେଇଛି । ଏପରି ସ୍ଥଳେ ପବନ ବାତ୍ୟା ହେଲେ ସମସ୍ତ ରୋଜଗାର କ୍ଷତି ହେବା ସହ ବାତ୍ୟାର ସମ୍ଭାବନା ନେଇ ଚାଷୀ ଚିନ୍ତାରେ ରହିଛି । ସରକାର ଏହି ପ୍ରାକୃତିକ ବିପର୍ଯୟ ପ୍ରତି ଦୃଷ୍ଟି ଦେବାକୁ କୃଷକ ନେତା ବଳରାମ ସାହୁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ