
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନିର୍ମାଣ ନିଗମ ଲିଃ(ଓସିସିଏଲ)ର ୨୯୨ ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।
ବୈଠକରୁ ଜଣାଯାଇଛି ଯେ, ଓସିସିଏଲ ଜରିଆରେ କାର୍ଯ୍ୟକାରୀ ହେଉଥିବା ୩୬୭୩ କୋଟିର ବିଭିନ୍ନ ପ୍ରକଳ୍ପ ନିର୍ମାଣାଧିନ ରହିଛି । ତନ୍ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀପାଳନ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଓ
ଅନ୍ୟାନ୍ୟ ବିଭାଗର ୮୬ କୋଟିର ଯାନ୍ତ୍ରିକ (ମେକାନିକାଲ) କାର୍ଯ୍ୟ ଅନ୍ତର୍ଭୁକ୍ତ ଅଛି । ପର୍ଯ୍ୟଟନ ଅଧିନରେ ହୀରାକୁଦ ଜଳଭଣ୍ଡାର ଅଞ୍ଚଳ ଏବଂ ତାହାର ପାରିପାର୍ଶ୍ୱିକ ବିକାଶ ପାଇଁ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ
(ସମନ୍ୱିତ ବିକାଶ) ଏବଂ ମାଷ୍ଟର୍ ପ୍ଲାନର ଉନ୍ନତି କରଣ କରାଯାଇ ଲାଇଟ ଏବଂ ସାଉଣ୍ଡ ସିମ୍ଫୋନି, ଆରାଇଭାଲ୍ ପ୍ଲାଜା ଏବଂ ଡ୍ୟାମ୍ ମ୍ୟୁଜିୟମ୍ ଆଦି କାର୍ଯ୍ୟ ଓସିସିଏଲ ଦ୍ୱାରା ୧୦୦ କୋଟିରୁ ଅଧିକ ମୂଲ୍ୟରେ
କରାଯିବ । କୁଶଭଦ୍ର ଅନ୍ତଃନଦୀ ଜଳାଶୟ(ଆଇଏସଏସ୍) ଜୁନ ୨୦୨୬ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ କୁଆଖାଇ ଆଇଏସ୍ଏସ୍ ଡିସେମ୍ବର ୨୦୨୬ ସୁଦ୍ଧା ଶେଷ ହେବ । କୁଆଖାଇ ଓ କୁଶଭଦ୍ରା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଭୁବନେଶ୍ୱର ନିକଟସ୍ଥ ଅଂଚଳରେ ଏକ ସୁନ୍ଦର ନଦୀପାର୍ଶ୍ୱ ଅଞ୍ଚଳ ବିକଶିତ ହେବ, ଯାହା ନଗରର ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଆକର୍ଷଣକୁ ବୃଦ୍ଧି କରିବ । ଏହି ଦୁଇ ଆଇଏସଏସ୍ ନିର୍ମାଣ ଫଳରେ ମୃତପ୍ରାୟ ପ୍ରାଚୀ ନଦୀ ପୁନଃଜୀବିତ ହେବ।
ବୈଠକରୁ ଆହୁରି ମଧ୍ୟ ଜଣାଯାଇଛି ଯେ, କାନୁପୁର ଡ୍ୟାମର ନିର୍ମାଣ ଶେଷ ହୋଇସାରିଛି ଏବଂ ସ୍ପିଲୱେ କାର୍ଯ୍ୟ ଅଗ୍ରଗତି ଘଟିଛି ଯାହାକି ଆଗାମୀ ଡିସେମ୍ବର ୨୦୨୫ ମଧ୍ୟରେ ସଂପୂର୍ଣ୍ଣ ହେବ । ଏହା ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ଏବଂ କେନ୍ଦୁଝର ଜିଲ୍ଲାର ୩୦,୦୦୦ ହେକ୍ଟର ଅଞ୍ଚଳକୁ କୃଷି ପାଇଁ ଜଳସେଚନ ସୁବିଧା ପ୍ରଦାନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା