
କନ୍ଧମାଳ, ୨୭ ଅକ୍ଟୋବର (ହି.ସ.)- ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଆଜି ଏକ ୧୫ ବର୍ଷୀୟ ନାବାଳିକାଙ୍କ ଦୁଷ୍କର୍ମ ମାମଲାର ବିଚାରଣା କରି ପୀଡିତାଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ମାମଲାର ୧୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରିତୀକ ଦିଗାଲ (୧୯)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ, ତାକୁ ଅତିରିକ୍ତ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି । ମାମଲାକୁ ପିଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଶ୍ରୀ ବନମାଳୀ ବେହେରା ପରିଚାଳନା କରିଥିଲେ।
ସୂଚନା ଅନୁଯାୟୀ, ପୀଡ଼ିତା ଏ.ଜେ.ଓ. ହାଇସ୍କୁଲ, ଫୁଲବାଣୀରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବିଭିନ୍ନ ସ୍ଥାନରେ ତା' ସହିତ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲା । ୨୧ ନଭେମ୍ବର ୨୦୨୪ରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବାଇକରେ ନେଇ ନିଜ ମାମୁଁ ଘରକୁ ଯାଇ ଶାରୀରିକ ସମ୍ପର୍କ ରଖିଥିଲା। ପୀଡ଼ିତା ଘରକୁ ନ ଫେରିବାରୁ ତାଙ୍କ ପିତା ଖୋଜାଖୋଜି କରି ଫୁଲବାଣୀ ଟାଉନ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ। ଅଭିଯୋଗ ପ୍ରକାରେ ଫୁଲବାଣୀ ଟାଉନ ଥାନା ପୁଲିସ ଏକ ମାମଲା ୨୫୯/୨୧.୧୧.୨୦୨୪ ରୁଜୁ କରିଥିଲେ। ମାମଲାର ତଦନ୍ତ କରୁଥିବା ଏସ୍.ଆଇ. ମନୋରଞ୍ଜନ ଭୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏଥି ସହ ବିଚାରପତି ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ