
ଭଦ୍ରକ, ୨୭ ଅକ୍ଟୋବର (ହି.ସ.)- ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ କାଳୀପୂଜା ଉପଲକ୍ଷେ ଆଲୋକସଜ୍ଜା ମଧ୍ୟରେ ଚାନ୍ଦବାଲି ସହର ଉତ୍ସବମୟ ଥିବା ବେଳେ ଏକ ଭୟାଭୟ ଅଘଟଣ ଘଟିଛି । ଚାନ୍ଦବାଲିର ପ୍ରତିଷ୍ଠିତ ବ୍ୟବସାୟୀ ରୁଳିରାମ ଅଗ୍ରୱାଲଙ୍କ ଆବାସିକ ଘର ଓ ଦୋକାନ ଗୃହରେ ଆଜି ସନ୍ଧ୍ୟା ସମୟରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିମିଷକ ମଧ୍ୟରେ ସମ୍ପୂର୍ଣ୍ଣ ବିଲ୍ଡିଂଟିକୁ କବଳିତ କରିଥିଲା। ନିଆଁର ପ୍ରଖର ଏତେ ବେଶି ଥିଲା ଯେ ଅଗ୍ନିଶମ ବାହିନୀଙ୍କ ପାଇଁ ଏହାକୁ ନିୟନ୍ତ୍ରଣ କରିବା ଏକ ଭୟାନକ ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ସୂତ୍ର ଅନୁସାରେ, ଜଳୁଥିବା ବିଲ୍ଡିଂ ଭିତରେ ଥିବା ୪ଟି ଗ୍ୟାସ ସିଲିଣ୍ଡର ଫାଟିଯାଇଥିବା ଫଳରେ ନିଆଁ ଆହୁରି ତୀବ୍ର ଆକାର ନେଇଥିଲା । ଘଟଣାସ୍ଥଳରେ ରାଜକନିକା, ତିହିଡ଼ି ଓ ଚାନ୍ଦବାଲି ଅଗ୍ନିଶମ ବାହିନୀଙ୍କ ତିନିଟି ଗାଡ଼ି ସହିତ ଏନଏସି ଟିମ୍ ମଧ୍ୟ ନିଆଁ ନିୟନ୍ତ୍ରଣ ଅଭିଯାନରେ ନିଯୁକ୍ତ ହୋଇଛି । ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି ବୋଲି ପ୍ରାରମ୍ଭିକ ଅନୁମାନ କରାଯାଇଛି । ଏପର୍ଯ୍ୟନ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇନଥିବାବେଳେ ସମଗ୍ର ଚାନ୍ଦବାଲି ବଜାର ଏକ ପ୍ରକାର ଜନସମୁଦ୍ରରେ ପରିଣତ ହୋଇପଡ଼ିଛି । ଲୋକମାନେ ଭୟଭୀତ ହୋଇ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ଅଗ୍ନିଶମ ବିଭାଗ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ