
ଭୁବନ, ୨୭ ଅକ୍ଟୋବର(ହି.ସ.) – ଭୁବନ ଏନ୍ଏସି ଅନ୍ତର୍ଗତ ୧୪ ନମ୍ବର ୱାର୍ଡ଼ ରଗଡ଼ି ଛକ ଠାରେ ବହୁ ପ୍ରତିକ୍ଷିତ ପରିବା ବଜାର ଶୁଭାରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ କୃଷକ ସମାଜ ତରଫରୁ ଆଜି ସୋମବାର ପରିବା ବଜାର କାର୍ଯ୍ୟକ୍ଷମ ହୋଇଛି। ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନ ଏନ୍ଏସିରେ ଦୀର୍ଘ ୫୦ ବର୍ଷ ପରେ ସ୍ଥାୟୀ ପରିବା ବଜାର ନଥିବା ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ରଗଡ଼ି ଛକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟାପ୍ତ ସରକାରୀ ଜମିକୁ ନିୟନ୍ତ୍ରଣକୁ ଆଣି ବାଲି ଫିଲିଂ, ସାଇଡ ୱାଲ, ପେଭର ବିଛାଇ ପ୍ରଥମେ ୨୭ଟି କ୍ୟାବିନ ପକାଇ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରିଥିଲେ। ପରିବା ବଜାର ପାଇଁ ପ୍ରାଥମିକ କାର୍ଯ୍ୟ ଶେଷ ହେବା ପରେ ଚାଷୀମାନଙ୍କ ପାଇଁ ୩ଟି ପିଣ୍ଡି ନିର୍ମାଣ କରିଥିଲେ। ଏହାବାଦ ଗ୍ରାହକଙ୍କ ସୁବିଧା ପାଇଁ ଏକ ଆମିନିଟି ସେଂଟର ଏବଂ ୩୦୦ କ୍ଷମତା ବିଶିଷ୍ଟ ବହୁମୁଖି କୋଠାଘର( ମଲ୍ଟି ପର୍ପୋଜ ହଲ) ନିର୍ମାଣ କରିଥିଲେ। ପ୍ରାୟ ବର୍ଷକ ପୂର୍ବେ ଏହି ପରିବା ବଜାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ସରକାର ପରିବର୍ତନ ଯୋଗୁ ଉଦଘାଟନ ହୋଇପାରି ନଥିଲା। ପରବର୍ତୀ ସମୟରେ ଏହାକୁ ଚାଲୁ କରିବାକୁ ନରଗପାଳ ଆପ୍ରାଣ ଉଦ୍ୟମ କରିଥିବାବେଳେ ରାଜନୈତିକ ଛକାପଞ୍ଝା ଯୋଗୁ କାର୍ଯ୍ୟକ୍ଷମ ହୋଇପାରି ନଥିଲା। ଗତ ମାସରେ ସରକାରଙ୍କ ଦ୍ୱାରା ନଗରପାଳ ଗାଦିଚ୍ୟୁତ ହେବାପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏନ୍ଏସି ଅଫିସ ସମ୍ମୁଖସ୍ଥ ଉଠା ଜଳସେଚନ କାର୍ଯ୍ୟାଳୟ ପରିସରରେ ପରିବା ବଜାର କରିବା ପାଇଁ ବାଲି, ମୋରମ ପକାଇ ବିଶ୍ୱକର୍ମା ପୂଜା ଦିନ ବିଧାୟକ ଶତ୍ରୁଘ୍ନ ଜେନା ଏହାକୁ ଉଦଘାଟନ କରିଥିଲେ। ଫଳରେ ଦୀର୍ଘଦିନ ହେଲା ଭିଆଇପି ଏରିଆ(ଡାକବଙ୍ଗଳା ସମ୍ମୁଖ)ରୁ ଏନ୍ଏସି ଅଫିସ ନିକଟକୁ ପରିବା ମାର୍କେଟ ସ୍ଥାନାନ୍ତର ହୋଇଥିଲା। ସେଠାରେ କୌଣସି ଭିତିଭୂମି ନଥିବା ଅଭିଯୋଗ କରି ମାତ୍ର ୫ ଦିନ ପରେ ଚାଷୀମାନେ ବ୍ୟବସାୟ ବନ୍ଦ କରି ପୁନର୍ବାର ଭିଆଇପି ଏରିଆକୁ ଫେରି ଆସିଥିଲେ। ପିଣ୍ଡି ସ୍ଥାପନ ପରେ ୨୮ ତାରିଖରେ ପୁନର୍ବାର ଉଠା ଜଳସେଚନ ଅଫିସକୁ ପରିବା ମାର୍କେଟ ସ୍ଥାନାନ୍ତର ହେବ ବୋଲି ନିଷ୍ପତି ନିଆଯାଇଥିଲା। ଅପରପକ୍ଷେ ୨୭ ତାରିଖ ଦିନ ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଶୁଭାରମ୍ଭ ବୋଲି ବ୍ୟାନର ଲଗାଯାଇଥିଲା। ଆଜି ସୋମବାର ସକାଳେ କୃଷକ ସମାଜ ତରଫରୁ ଗ୍ରାମାଂଚଳରୁ ଆସୁଥିବା ଚାଷୀଙ୍କୁ ସ୍ୱାଗତ ଜଣାଇ ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଶୁଭାରମ୍ଭ କରାଯାଇଥିଲା। ଏହାକୁ ନେଇ ଜନସାଧାରଣରେ ଆନନ୍ଦ ପ୍ରକାଶ ପାଇଥିବାବେଳେ କେତେକ ଚାଷୀଙ୍କୁ ପୋଲିସ କର୍ମଚାରୀ ମାନେ ଘଉଡାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କାମାକ୍ଷାନଗର ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ପରିବା ହାଟକୁ ନେଇ ଅଭିଯୋଗ ହେବା ପରେ ଭୁବନ ପାଇଁ ଗୋଟିଏ ନୁହେଁ ଏକାଧିକ ପରିବା ବଜାରର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ସ୍ୱୀକାର କରିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଉଭୟ ରଗଡ଼ି ଛକ ଓ ଉଠା ଜଳସେଚନ କାର୍ଯ୍ୟାଳୟ ପରିସରରେ ପରିବା ବଜାର ହେବ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି