ବିଦ୍ୟାଳୟର ନୋଟିସ୍ ବୋର୍ଡ କଂଟା ଗିଳି ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ
Student dies after swallo the notice board pin
ବିଦ୍ୟାଳୟର ନୋଟିସ୍ ବୋର୍ଡ କଂଟା ଗିଳି ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ


କନ୍ଧମାଳ, ୨୭ ଅକ୍ଟୋବର(ହି.ସ.) – କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଉପକଣ୍ଠରେ ଥିବା ଧୋବାତୋଟା ଆଦର୍ଶ ବିଦ୍ୟାଳୟର ତୁଷାର ମିଶ୍ର ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର, ବିଦ୍ୟାଳୟର ନୋଟିସ୍ ବୋର୍ଡ ରେ ଲାଗିଥିବା ଗୋଟିଏ ପିନ୍ ଗିଳି ଦେବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ପ୍ରାୟ ଏକ ସପ୍ତାହ ପୂର୍ବେ ତୁଷାର ନୋଟିସ୍ ବୋର୍ଡର ଏକ ପିନ୍ କଂଟା ଆଣି ନିଜ ପାଟିରେ ରଖିଲା, ଏବଂ ଅନ୍ୟ ମନସ୍କ ହୋଇ କଂଟାଟିକୁ ଗିଳି ଦେଇଥିଲା। ଏହି ବାବଦରେ ସେ ତାଙ୍କ ଶିକ୍ଷକଙ୍କୁ ଜଣାଇବା ପରେ ଶିକ୍ଷକ ତା କଥାକୁ ଗୁରୁତ୍ୱ ନଦେଇ, କିଛି ହେବନାହିଁ ପାଣି ପିଇ ଦେ ବୋଲି କହିଥିଲେ। ତୁଷାର ସବୁ ଦିନ ଭଳି ସ୍କୁଲ ଛୁଟି ପରେ ଘରକୁ ଆସି ଏହି ବିଷୟରେ ତାର ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ପ୍ରଥମେ ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନେଇଥିଲେ ହେଲେ ଡାକ୍ତର ତାକୁ ବ୍ରହ୍ମପୁରକୁ ରେଫର କରିଥିଲେ। ବ୍ରହ୍ମପୁରରେ ଡାକ୍ତରମାନେ ତାର ଅସ୍ତ୍ରୋପଚାର କରିଥିଲେ। ହେଲେ ପିନ୍ ଟି ତାର ଫୁସ୍ ଫୁସ୍ ପାଖରେ ଅଟକି ରହିଥିଲା। ଫଳରେ ଜଟିଳତା ଯୋଗୁଁ ତାର ଅସ୍ତ୍ରୋପଚାର ଅସଫଳ ହୋଇ ଛାତ୍ର ଜଣକ ପ୍ରଥମେ ପାରାଲିସିସ୍ ଏବଂ ପରେ କୋମାକୁ ଚାଲି ଯାଇଥିଲା। ଫଳରେ ପରିବାର ଲୋକେ ତାକୁ କଟକକୁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପରିବା ଲୋକେ ପୂରୀ ସ୍ୱର୍ଗଦ୍ୱାରରେ ତାର ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି। ତେବେ ବିଦ୍ୟାଳୟରେ ଶିକ୍ଷକ ଜଣକ ଏହି ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ ତାକୁ ମୃତ୍ୟୁ ମୁଖରୁ ବଂଚାଇ ହୁଅନ୍ତା ବୋଲି ତାର ପରିବାର ଲୋକେ କହିଛନ୍ତି। ତୁଷାରର ଏହିଭଳି ମୃତ୍ୟୁରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତଥା ପରିବାରରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande