
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲାର ବଡ଼ବିଲ ମ୍ୟୁନିସିପାଲିଟିକୁ ଜିଲ୍ଲାର ଏକ ଧନୀ ମୁନିସିପାଲିଟି କୁହାଯାଏ। ଏଠାରେ ଏକାଧିକ ଖଣି ଓ ଶିଳ୍ପ ସଂସ୍ଥା ରହିଥିବା ବେଳେ ସେମାନେ ମଧ୍ୟ ସାମାଜିକ ଦାୟିତ୍ବବୋଧ ଯୋଜନା ମାଧ୍ୟମରେ ନିଜ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି। ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ଅନୁଦାନରେ ବଡ଼ବିଲ ପୌରାଞ୍ଚଳରେ ଅନେକ ବୃହତ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହା ସତ୍ତ୍ବେ ମଧ୍ୟ ବଡ଼ବିଲ ପୌରାଞ୍ଚଳରେ କିଛି ଦିନ ହେଲା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି। ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ନ୍ୟୁ-ମାର୍କେଟ ରେଲୱେ କ୍ରୋସିଂ, ଷ୍ଟେସନ ରୋଡ଼, ହରିହର ମନ୍ଦିର ଠାରୁ ଶାନ୍ତବାହାଳ ରାସ୍ତା ଆଦି ଅଞ୍ଚଳରେ ବିଭିନ୍ନ ସମୟରେ ଅଳିଆ ଆବର୍ଜନା ପଡି ରହୁଥିବା ଦେଖୁବାକୁ ମିଳୁଛି। ସେହିପରି ଆଉ କେତେକ ଅଞ୍ଚଳରେ ପଡି ରହିଥିବା ଆବର୍ଜନାକୁ ବିଳମ୍ବରେ ଉଠା ଯାଉଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳର ବାତାବରଣକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହାଦ୍ବାରା ମଶା ମାଛିଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି।
ଏଠାରେ ପ୍ରକାଶ ଯେ, ଲକ୍ଷ୍ମଣ ମହାନ୍ତି ବଡ଼ବିଲ ପୌରାଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ପରେ ବଡ଼ବିଲ ସହରର ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଥିଲେ। ନିଜେ ଉପସ୍ଥିତ ରହି ସଫେଇ କାର୍ଯ୍ୟର ତଦାରଖ କରିଥିଲେ। ତେବେ ଜଣେ ପୌରାଧ୍ୟକ୍ଷ ଭାବେ ତାଙ୍କର ଆହୁରି ମଧ୍ୟ ଅନେକ ଦାୟିତ୍ବ ରହିଥିବା ବେଳେ ସବୁବେଳେ ସଫେଇ କାର୍ଯ୍ୟର ତଦାରଖ କରିବା ସମ୍ଭବ ନୁହେଁ । ଆଜି ମଧ୍ୟ କୌଣସି ୱାର୍ଡରୁ ଅଭିଯୋଗ ଆସିଲେ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତି ଓ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସେଠାକୁ ଯାଇ ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଳୁଛି। ତେବେ ବଡ଼ବିଲ ପୌରାଞ୍ଚଳର ପରିମଳ ଦାୟିତ୍ଵ ଏକ ଘରେଇ ଠିକା ସଂସ୍ଥାକୁ ଦିଆଯାଇଛି। ମାତ୍ର ବିଭାଗୀୟ ପୌର କର୍ମଚାରୀଙ୍କ ଉପଯୁକ୍ତ ତଦାରଖ ଅଭାବରୁ ପରିମଳ ବ୍ୟବସ୍ଥା ସୁଧୁରି ପାରୁନଥିବା ଅଭିଯୋଗ ହେଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA