




ସୁବର୍ଣ୍ଣପୁର, ୨୭ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ଅକ୍ଟୋବର ୨୭ ତାରିଖ ଠାରୁ ୨ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ଵ ; Vigilance : Our Shared Responsibility ପ୍ରସଙ୍ଗକୁ ଭିତ୍ତି କରି ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ଆଜି ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ କମିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ ଶିବିରରେ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପୂର୍ବାହ୍ନ ୧୧.୦୦ ଘଟିକସମୟରେ ସାଧୁତାର ଶପଥ ପାଠ କରାଇଥିଲେ। ଅନୁରୂପ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତି ଆଞଳିନା ପ୍ରଧାନ ସାଧୁତାର ଶପଥ ପାଠ କରାଇଥିଲେ।
ଏତଦ୍ ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ସରକାରୀ ଅଧିକାରୀ, କର୍ମଚାରୀମାନେ ନିଜନିଜ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରିଥିଲେ। ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ଉପରୋକ୍ତ ପ୍ରସଙ୍ଗକୁ ଭିତ୍ତିକରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି। ଏହି ସପ୍ତାହ ପାଳନ ଅବସରରେ ଜିଲ୍ଲା,ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକଳାପ ଜିଲ୍ଲା ପ୍ରଶାସନ ଦ୍ବାରା ଅନୁଷ୍ଠିତ କରାଯିବ । ଏହି ସପ୍ତାହ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଗୋଟିଏ ଲେଖାଏଁ ଗ୍ରାମ ପଞ୍ଚାୟତ ରେ ଦୁର୍ନୀତି ନିବାରଣ ସଚେତନତା ଗ୍ରାମ ସଭା ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ