
ବାରିପଦା, ୨୮ ଅକ୍ଟୋବର (ହି.ସ.)- ଯାତ୍ରା ମଞ୍ଚସ୍ଥ ନହେବାରୁ କଳାକାରଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି। ଏନେଇ ତକତପୁର ଅଞ୍ଚଳର ଫାଗୁନ କଏଲ ଅପେରା ମାଲିକାଣୀ ରାକ୍ଷୀମଣି ମାର୍ଣ୍ଡି ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଝାରଖଣ୍ଡ ରାଜ୍ୟର ୱେଷ୍ଟ ସିଂହଭୂମ ଅଞ୍ଚଳର ଧବାଡିରେ ଯାତ୍ରା କରିବା ପାଇଁ ଅଗ୍ରୀମ ବୁକିଂ ହୋଇଥିଲା। କିନ୍ତୁ, କୌଣସି କାରଣବଶତଃ ଯାତ୍ରା ପାର୍ଟି ସେଠାକୁ ଯାତ୍ରା କରିବାକୁ ଯାଇ ପାରିନଥିଲେ। ଯାହାଫଳରେ ଝାରଖଣ୍ଡ ରାଜ୍ୟର ୱେଷ୍ଟ ସିଂହଭୂମର ଧବାଡି ଗ୍ରାମ କମିଟି ସଦସ୍ୟ ମାନେ ବାରିପଦା ଆସି ଯାତ୍ରା ପାର୍ଟିର ଦୁଇ ଜଣ କଳାକାର ସାଉନା ହେମ୍ବ୍ରମ ଓ ଲକ୍ଷ୍ମଣ ମାଝୀଙ୍କୁ ଅପହରଣ କରି ନେଇଛନ୍ତି। ଯେପର୍ଯ୍ୟନ୍ତ ତାଙ୍କ ଗ୍ରାମରେ ଯାତ୍ରା ପରିବେଷଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ କଳାକାର ଦୁଇ ଜଣଙ୍କୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ ଭଞ୍ଜପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ