



ସମ୍ବଲପୁର, ୨୮ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସାଧାରଣ ନାଗରିକ ମାନଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗରେ ସମ୍ବଲପୁରର ସିଏସବି ଜିଲ୍ଲା ସ୍କୁଲରୁ ଗୋଲବଜାର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ, ସମ୍ବଲପୁର ଖଣ୍ଡର ଦୁର୍ନୀତି ନିବାରଣ ବିଭାଗୀୟ ଏସପି ପ୍ରଦ୍ଯୁମ୍ନ କୁମାର ଦ୍ୱିବେଦୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ସମ୍ବଲପୁର ଖଣ୍ଡ ଦୁର୍ନୀତି ନିବାରଣ ବିଭାଗ ଏସପି ଶ୍ରୀ ଦ୍ବିବେଦୀ ପ୍ରତ୍ୟେକ କ୍ଷେତ୍ରରେ ନାଗରିକ ମାନେ ଯେପରି ଦୁର୍ନୀତି ବିରୋଧରେ ସଚେତନ ହୋଇପାରିବେ ସେଥିପ୍ରତି ଆମର ଉଦ୍ୟମ ଜାରି ରହିଛି ବୋଲି କହିଥିଲେ। ଦୁର୍ନୀତିର ମୂଳୋତ୍ପାଟନ ପାଇଁ କେବଳ ପ୍ରଶାସନିକ ସ୍ତରରେ ନୁହେଁ, ସମାଜର ପ୍ରତ୍ୟେକ ସୋପାନରୁ ଆମକୁ ସାମୂହିକ ଭାବେ ଚେଷ୍ଟା କରିବାକୁ ପଡିବ ବୋଲି ସେ ଆହ୍ବାନ ଦେଇଥିଲେ ।
ଏହି ଅବସରରେ ଦିନ ୧୨ଟା ସମୟରେ ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶପଥପାଠ କାର୍ଯ୍ୟକ୍ରମରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇଙ୍କ ସମେତ ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଆଭାସୀ ମାଧ୍ୟମରେ ଓସ୍ଵାନ ହଲରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତିର ମୂଳୋତ୍ପାଟନ, ନିଜର ଆଚରଣର ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ କରି ସମସ୍ତ ଦାୟିତ୍ଵକୁ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନା କରିବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ