
କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - ସ୍ଥାନୀୟ ହୋଟେଲ ଶ୍ରୀକ୍ଷେତ୍ର ଇଣ୍ଟର ନ୍ୟାସନାଲର ଅଭ୍ୟର୍ଥନା କକ୍ଷରେ ଆଜି ନବ ନିଯୁକ୍ତ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହା ଥିଲା ଶ୍ରୀ ଜେନାଙ୍କ ପ୍ରଥମ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକଙ୍କ ସହ ସିଧାସଳଖ ଭେଟଘାଟ ତଥା ବନ୍ଧୁ ମିଳନ। ଆଜି ଏହି ସମ୍ମିଳନୀ ପୂର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ସଦର କଂଗ୍ରେସ ସଭାପତି ଉତମ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ସଭାପତି ଯଦୁମଣି ବାରିକ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେସ ଧୀର ମଧ୍ୟ ଏଠାରେ ଉପସ୍ଥିତ ରହିଥିଲେ। ଜିଲ୍ଲାରେ ଦଳର ସଂଗଠନ ମଜବୁତ କରିବାକୁ ଗଣମାଧ୍ୟମର ସହଯୋଗୀତା ନିହାତି ଆବଶ୍ୟକ ତେଣୁ ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହ ମିଶିବା ସହ ବିଭିନ୍ନ ସମସ୍ୟା ଉପରେ ମତାମତ ରଖିଥିଲେ। ଦଳ ବିରୋଧୀ ଦଳରେ ଥାଇ ସୁସ୍ଥ ଗଣତାନ୍ତ୍ରିକ ଢାଂଚାରେ ଲୋକଙ୍କ ସମସ୍ୟା ସରକାରଙ୍କ ପାଖେ ରଖିବ ବୋଲି ସେ ନିର୍ଭର ପ୍ରତିଶୃତି ଦେଇଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି ରୋଗୀ ହଇରାଣ ହେଇ ଜୀବନ ଦେଉଛନ୍ତି ସେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦେବେ କହିଥିଲେ। ସେହିପରି ସରକାର କେନ୍ଦୁଝର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଲାଗି ସ୍ୱଚ୍ଛ ନୀତି ଆପଣାଇ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଶିଳ୍ପ ପ୍ରତିଷ୍ଠା କରନ୍ତୁ। ଏଥିସହ ଟ୍ରକ ଦ୍ୱାରା ଖଣିଜ ପରିବହନ କରି ନିଜ ଜୀବନ ଜୀବିକା ସହ ପରିବାର ପ୍ରତିପାଳନ କରୁଥିବା ଯୁବକଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ। ଏହିପରି ସେ କଂଗ୍ରେସକୁ ଶକ୍ତିଶାଳୀ କରିବା ସହ ଜାତୀୟ, ରାଜ୍ୟ ସମସ୍ୟା ସହ ସ୍ଥାନୀୟ ସମସ୍ୟାକୁ ପ୍ରାଥମିକତା ଦେଇ ଲୋକଙ୍କ ସହ ରହିବେ ବୋଲି କହିଥିଲେ। ଶ୍ରୀ ଜେନାଙ୍କୁ ଦଳର ଆଗାମୀ ଦିନର ଭବିଷ୍ୟତ ତଥା କାର୍ଯ୍ୟକ୍ରମ ନେଇ ସାମ୍ବାଦିକ ମାନେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ ଏହାର ସେ ସନ୍ତୋଷଜନକ ଉତର ଦେଇଥିଲେ। ଏହି ବନ୍ଧୁ ମିଳନ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକଙ୍କ ସହ ଅନେକ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ। ଯୁବ କଂଗ୍ରେସ ସଭାପତି ସୁନେସ ଧୀର ଧନ୍ୟବାଦ ଅର୍ପଣ ପରେ ଏହି ବୈଠକ ସମାପ୍ତ ପରେ ଜିଲ୍ଲା କଂଗ୍ରେସ ଭବନରେ ମଧ୍ୟାନ୍ନ ଭୋଜନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA