
କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି ।ଏହି ଅବସରରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସାଧୁତାର ଶପଥ ପାଠ କରାଇଥିଲେ ।
ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ କକ୍ଷରୁ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଡ଼ିଏସପି, ଭିଜିଲାନ୍ସ ୟୁନିଟ କେନ୍ଦୁଝର ସୁଧାଂଶୁ ଶେଖର ପୂଜାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ସାଧୁତାର ଶପଥ ପାଠ କରିଥିଲେ । ଏକାଦ୍ରିକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲଠାରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସମସ୍ତ କର୍ମଚାରୀ ଏବଂ ଜିଲ୍ଲାର ସମସ୍ତ ବ୍ଲକର ଓସ୍ୱାନ କକ୍ଷ ଏବଂ ସମସ୍ତ ବିଭାଗୀୟ କ।।ର୍ଯ୍ୟାଳୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁର୍ନୀତିର ମୁଳୋତ୍ପାଟନ ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରିଥିଲେ ।
ସୂଚନା ଥାଉକି ଚଳିତ ବର୍ଷ ଅକ୍ଟୋବର ୨୭ରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଦୁର୍ନୀତି ନିବାରଣ -ଆମ ସାମୁହିକ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଆଧାରରେ କେନ୍ଦୁଝର ଜିଲ୍ଲାରେ ଏହାର ବ୍ୟାପକ ସଚେତନତା ପାଇଁ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ନାଗରିକଙ୍କୁ ସାଧୁତାର ଶପଥ ପାଠ କରେଇବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ନଭେମ୍ୱର ମାସ ୧ ତାରିଖ ଦିନ ଦରବାର ହଲଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA