
ବଲାଙ୍ଗିର, ୨୮ ଅକ୍ଟୋବର (ହି.ସ.)- ମଦ ନିଶା ପାଇଁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ । ବଲାଙ୍ଗିର ଦେଓଗାଁ ମର୍ଡର ଘଟଣାରେ ବଡ଼ ଖୁଲାସା କଲା ବଲାଙ୍ଗିର ପୋଲିସ । ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନା ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ୱାଦିକ ସମ୍ମିଳନୀରେ ଖୋଦ୍ ବଲାଙ୍ଗିର ଏସଡିପିଓ ସରୋଜ ଉପାଧ୍ୟାୟ ଯୋଗଦେଇ ବଡ଼ ଖୁଲାସା କରିଛନ୍ତି । ଏସଡିପିଓଙ୍କ ସୂଚନା ଅନୁସାରେ ୪ ଜଣ ସାଙ୍ଗ ମିଶି ଏକା ସାଙ୍ଗରେ ମଦ ପିଇ ଭୋଜିଭାତ କରିଥିଲେ । ଆଉ ସେତିକି ଭିତରେ ହିଁ ଗଣ୍ଡୋଗଳ ଆରମ୍ଭ ହୋଇଥିଲା । ଆଉ ଗଣ୍ଡୋଗଳରେ ୩ ଜଣ ସାଙ୍ଗ ମିଶି ଜଣେ ସାଙ୍ଗର ଜୀବନ ନେଇ ଯାଇଥିଲେ । ଘଟଣାରେ ପ୍ରାଣ ହରାଇଥିବା ଯୁବକର ନା ସୁଜିତ୍ ଭୋଇ ହୋଇଥିବା ବେଳେ ସେ ଦେଓଗାଁ ଥାନା ଅନ୍ତରଲା ଗାଁର ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ସୂଚନା ରହିଛି। ସୁଜିତଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ୩ ଜଣ ସାଙ୍ଗ ହେଲେ ଓମ୍ ନନ୍ଦ, ଇରଫାନ ଛତ୍ରିଆ ଓ ରାଜା କଣ୍ଟା ବୋଲି ଜଣାପଡିଛି । ହତ୍ୟା ପଛରେ ମଦ ନିଶା ରହିଥିବା ବେଳେ ସାଧାରଣ ଗଣ୍ଡଗୋଳ ଯୋଗୁଁ ସାଙ୍ଗର ଜୀବନ ନେଇଗଲେ ୩ ସାଙ୍ଗ ବୋଲି ବଲାଙ୍ଗିର ପୋଲିସ ସ୍ପଷ୍ଟ କରିଛି । ପୋଲିସ ହତ୍ୟାକାରୀ ୩ ଜଣ ସାଙ୍ଗ ଓମ୍ ନନ୍ଦ, ଇରଫାନ ଛତ୍ରିଆ ଓ ରାଜା କଣ୍ଟାକୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ସଦର ଏସଡିପିଓ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ