
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ବାତ୍ୟା ମୋନ୍ଥାର ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଅଶ୍ୱତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ବିଶେଷତଃ ଅଧିକ ପ୍ରଭାବିତ ହେବା ସମ୍ଭାବନା ଥିବା ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବାଲେଶ୍ୱର, ଜଗତସିଂହପୁର ଆଦି ୧୧ ଟି ଜିଲ୍ଲାରେ ଆଜି ପୂର୍ବାହ୍ନ ସୁଦ୍ଧା ୬୭୯୫ ଜଣ ଆସନ୍ନପ୍ରସବା ମା' ମାନଙ୍କୁ ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଏ.ଏନ୍.ଏମ ମାନେ ତଳୁଆ ନଦୀ ନାଳ ଘେରା, ରାସ୍ତା ଘାଟ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଘରକୁ ଘର ବୁଲି ଆସନ୍ନପ୍ରସବା ମହିଳାମାନଙ୍କ ସହ ଯୋଗାଯୋଗ କରୁଛନ୍ତି । ଆଜି ପୂର୍ବାହ୍ନ ସୁଦ୍ଧା ୧୫୫୮ ଜଣଙ୍କୁ ଆବଶ୍ୟକତା ଅନୁଯାୟୀ ମା' ଗୃହ ଏବଂ ହସ୍ପିଟାଲମାନଙ୍କୁ ସ୍ଥାନାନ୍ତର କରାଯାଇଛି ।
ସ୍ଥାନାନ୍ତରଣ କରାଯାଇଥିବା ମହିଳାମାନଙ୍କର ଖାଦ୍ୟ, ପାନୀୟ, ଓ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ବିଶେଷ ଲକ୍ଷ୍ୟ ରଖାଯାଇଛି । ଏଥିାପାଇଁ ସ୍ୱତନ୍ତ୍ର ଦଳ କାର୍ଯ୍ୟରତ ଅଛନ୍ତି । ଦୈନିକ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଡାକ୍ତରଖାନା ଅଣାଯାଉଛି । ଆଜି ପୂର୍ବାହ୍ନ ସୁଦ୍ଧା ୪୫୨ ଜଣ ମହିଳା ନିରାପଦ ମାତୃତ୍ୱ ଲାଭ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଜଣେ ମହିଳାଙ୍କର ସୁସ୍ଥ ଜାଆଁଳା ସନ୍ତାନ ଜନ୍ମ ହୋଇଥିବାର ଜଣାପଡିଛି ।
ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସବୁ ସମ୍ବେଦନଶୀଳ ଅଞ୍ଚଳରୁ ଶତ ପ୍ରତିଶତ ଆସନ୍ନପ୍ରସବା ମହିଳାଙ୍କୁ ନିରାପଦ ସ୍ଥାନକୁ ଆଣିବା ପ୍ରୟାସ ଜାରି ରହିଛି । ଏ ବିଷୟରେ ପୂର୍ଣ୍ଣ ସକ୍ରିୟ, ସଜାଗ ଓ ଯତ୍ନବାନ ହେବା ପାଇଁ ଶାସନ ସଚିନ ଅଶ୍ୱତୀ ଏସ. ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କହିଛନ୍ତି । ନିଜର ନିଷ୍ଠାପର ଉଦ୍ୟମରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ସବିଶେଷ ତଥ୍ୟ ବିଭାଗକୁ ଜଣେଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା