
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ସ୍ଥଳଭାଗ ଆଡ଼କୁ ମାଡି ଆସୁଥିବା ବାତ୍ୟା ‘ମୋନ୍ଥା’ର ପ୍ରବାହ କାଳ ଏବଂ ବାତ୍ୟା ପରବର୍ତୀ ସମୟରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଏବଂ ମେଡିକାଲ କଲେଜ୍ ଓ ହସପିଟାଲମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞ ପରାମର୍ଶ ଓ ସେବା ପାଇଁ ମେଡିକାଲ କଲେଜ୍ ଓ ହସପିଟାଲର ଅଧକ୍ଷମାନଙ୍କୁ ପାଖାପାଖି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହ ବରାବର ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି । ୧୦୮ ଆମ୍ବୁଲାନ୍ସ, ୧୦୨ ଆମ୍ବୁଲାନ୍ସ, ମୋବାଇଲ ହେଲଥ ୟୁନିଟ, ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ ୟୁନିଟ୍, ରାପିଡ୍ ଆକ୍ସନ ଟିମ୍ ଆଦିକୁ ପରସ୍ପର ସମନ୍ୱିତ ଏବଂ କଣ୍ଟ୍ରୋଲ ରୁମ୍ ସହ ସଂଯୋଜିତ ରଖାଯାଇଛି ।
କ୍ଷେତ୍ରସ୍ତରୀୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବର୍ତମାନ ସୁଦ୍ଧା ୩.୭୧ କୋଟିରୁ ଅଧିକ ପାରାସିଟାମଲ୍ ବଟିକା, ୧.୮୭ କୋଟିରୁ ଅଧିକ ଓ.ଆର.ଏସ ଦ୍ରବଣ, ୩.୮୨ କୋଟିରୁ ଅଧିକ ଜିଙ୍କ ବଟିକା, ୧.୭୫ କୋଟିରୁ ଅଧିକ ହାଲୋଜେନ୍ ବଟିକା, ୩.୦୨ ଲକ୍ଷରୁ ଅଧିକ ସାପକାମୁଡ଼ା ଇଞ୍ଜେକସନ, ୬୭.୦୪ ଲକ୍ଷରୁ ଅଧିକ ବ୍ଳିଚିଂ ପାଉଡର ପ୍ୟାକେଟ ମହଜୁଦ ରଖାଯାଇଛି । ସେହିପରି ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଓ ଜରୁରୀକାଳୀନ ଔଷଧ, ଅକ୍ସିଜେନ ସିଲିଣ୍ଡର, ରକ୍ତ ସଂରକ୍ଷଣ କେନ୍ଦ୍ର ମାନଙ୍କରେ ରକ୍ତ ୟୁନିଟ ଓ ରକ୍ତଜାତ ଉତ୍ପାଦ ଆଦି ମଧ୍ୟ ମହଜୁଦ ରଖାଯାଇଛି । ଆବଶ୍ୟକତା ଅନୁସାରେ ତୁରନ୍ତ ଅଧିକ ଔଷଧ ଓ ମାନବ ସମ୍ବଳ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜରୁରୀକାଳୀନ ୱାର୍ଡ ମାନଙ୍କରେ ଅଧିକ ସଂଖ୍ୟକ ଟ୍ରମା କିଟ୍ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ବର୍ଷାହେତୁ ଜଳ ପ୍ଲାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ଜଳବାହିତ ଓ ଜୀବ ବାହିତ ରୋଗର ନିରାକରଣ ନିମନ୍ତେ ଔଷଧ ମହଜୁଦ ରଖାଯିବା ସହ ଏସବୁ ସମ୍ବନ୍ଧରେ ତୁରନ୍ତ ତଥ୍ୟ ସଚେତନତା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା