
ଧର୍ମଶାଳା,୨୮ଅକ୍ଟୋବର (ହି.ସ.)- ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଂଚଳରେ ଦିନକୁ ଦିନ କାମୁଡା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି କୁକୁର କାମୁଡାରେ ଜଣେ ଶିଶୁପୁତ୍ର ଗୁରୁତର ଆହତ ହୋଇ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଗୁରୁତର ଶିଶୁ ପୁତ୍ର ଜଣକ ହେଲେ ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରେହେମତ ନଗର ଗ୍ରାମର ମହମ୍ମଦ ସାକାବାଦଙ୍କ ୭ ବର୍ଷୀୟ ପୁଅ ମହମ୍ମଦ ଅଦନାନ୍ ବୋଲି ଜଣାପଡିଛି । ସେ ମାଆ ସହିତ ମାମୁଁ ଘର ଏହି ଥାନା ଅନ୍ତର୍ଗତ ଇସ୍ତମାପଡିଆ ଗ୍ରାମର ସେକ୍ ଆଜାଦଙ୍କ ଘରକୁ ଆସିଥିଲେ । ମାମୁଁ ଘର ମୁଖ୍ୟ ରାସ୍ତାରେ ଖେଳୁଥିବା ସମୟରେ ୧୧ ଗୋଟି କୁକୁର ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ମାମୁଁ ଘର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ଥିଲେ । ଲୋକଙ୍କୁ ଦେଖି ସମସ୍ତ କୁକୁର ପଳାଇ ଯାଇଥିଲେ । ଅଦନାନକୁ ଉଦ୍ଧାର କରି ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏଭଳି କାମୁଡା କୁକୁର ଆକ୍ରମଣ ଘଟଣାକୁ ନେଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଥାଉକି, ୧୫ ଦିନ ତଳେ ଏହି କୁକୁର କାମୁଡାରେ ଜଣେ ବାଇକ ଚାଳକ ଓ ଜଣେ ବାଟୋଇ ଗୁରୁତର ହୋଇ ପଡିଥିଲେ । ତେବେ ଅଂଚଳରେ ବାରମ୍ବାର କୁକୁର କାମୁଡା ଘଟଣାକୁ ନେଇ ସାଧାରଣରେ ଭୟର ବାତାରଣ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ