

ବଲାଙ୍ଗିର, ୨୯ ଅକ୍ଟୋବର (ହି.ସ)-
ବଲାଙ୍ଗିର ଜିଲ୍ଲାରେ ଓଡିଶା ସରକାରଙ୍କ କୃଷି ବିଭାଗ ଓ ଅନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ଙ୍କ ମିଳିତ ଆନୁକୁଲ୍ୟରେ ବିଲୁପ୍ତ ପ୍ରାୟ ଫସଳ ସମୁହର ପୁନରୁଦ୍ଧାର ନିମନ୍ତେ ଦୀର୍ଘସ୍ଥାୟୀ ସଘନ କୃଷି ଯୋଜନା ମାଧ୍ୟମରେ ୧୦୦୦ ହେକ୍ଟରରେ ଅଧିକ ଅମଳକ୍ଷମ ହରଡ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ନିଆଯାଇଛି । ହରଡ ବିହନ ଉତ୍ପାଦନରେ ଆମ ରାଜ୍ୟକୁ ସ୍ୱାବଳମ୍ବୀ କରିବା ସହିତ ଚାଷିମାନଙ୍କର ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଣୟନ କରାଯାଉଛି । ଏହି କ୍ରମରେ ଆଜି ଇକାର୍ଡା ସଂସ୍ଥାର ଆଂଚଳିକ ସଂଯୋଜକ (ଦକ୍ଷିଣ ଏସିଆ ଓ ଚୀନ) ଡ. ଶିବ କୁମାର ଅଗ୍ରୱାଲ ଓ ଓଡିଶା ପ୍ରତିନିଧି ଡ. କିଶୋର କୁମାର ବେହେରା ଦେଓଗାଁ ବ୍ଲକର ପରୁଆଭାଡି ଗ୍ରାମରେ ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଥିବା ଅଧିକ ଅମଳକ୍ଷମ ହରଡ ବିହନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଗ୍ରାମରେ ୧୦ଟି ପ୍ରଜାତିର ଅଧିକ ଅମଳକ୍ଷମ ହରଡ ବିହନର ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଛି । ଏହି କ୍ଷେତ୍ର ପରିଦର୍ଶନ ସହିତ ଦେଓଗାଁ ଓ ପାଟଣାଗଡ ବ୍ଲକର ବିଭିନ୍ନ ଅଗ୍ରଣୀ ଚାଷୀ ଙ୍କ ହରଡ ବିହନ ଉତ୍ପାଦନ କ୍ଷେତ୍ରକୁ ଡ. ଅଗ୍ରୱାଲ ନିରୀକ୍ଷଣ କରିଥିଲେ । ପରିଦର୍ଶନ ପରେ ଜିଲ୍ଲାର ହରଡ ବିହନ ଉତ୍ପାଦନକାରୀ ଅଗ୍ରଣୀ ଚାଷୀମାନଙ୍କ ସହିତ ମତ ବିନିମୟ କରିଥିଲେ ।
ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଗତ ୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ହରଡ ବିହନ ଉତ୍ପାଦନ କରି ୧୦୦୦ କ୍ୱିଣ୍ଟାଲରୁ ଅଧିକ ଅମଳକ୍ଷମ ହରଡ ବିହନକୁ ଓଡିଶା ରାଜ୍ୟ ବିହନ ନିଗମକୁ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ବଲାଙ୍ଗିରକୁ ହରଡ ବିହନ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଚାଷୀମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ