
Bhubaneswar, 29 ଅକ୍ଟୋବର (ହି.ସ.)
ରକ୍ଷଣା ବେକ୍ଷଣା ଅଭାବରୁ ରାଜ୍ୟରେ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ
ଆୟୁଷ୍ମାନ ଯୋଜନା ବିଏସକେୱାଇର ବିକଳ୍ପ ଭାବେ ଗ୍ରହଣୀୟ ହୋଇପାରି ନାହିଁ
ମ୍ୟାଲେରିଆର ପ୍ରକୋପ ବୃଦ୍ଧି ପାଇଛି, ହଇଜାର ଆବିର୍ଭାବ ଘଟିଛି
ଉପନିର୍ବାଚନ ପ୍ରଚାରରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ୨୪ ବର୍ଷର ବିଜେଡି ଶାସନ ବେଳେ ରାଜ୍ୟର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିଲା ଓ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏଥିରେ ସୁଧାର ଆଣିଛନ୍ତି ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡ଼ା ପ୍ରତିକ୍ରିୟା ରଖିଛି । ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ନୁହେଁ ବରଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ବିଜେଡି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଭିନ୍ନ ମିଛ ପ୍ରଚାର କରି ନିର୍ବାଚନ ଜିତିଥିବା ବିଜେପି ସରକାରର ଗତ ୧୬ ମାସରେ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ବିଫଳତା ଜଳ ଜଳ ହୋଇ ଦିଶୁଛି । ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ, ରାଜ୍ୟ ବିଜେପି ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିବାକୁ ଅପଚେଷ୍ଟା କରୁଛି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ଥିବା ଶ୍ରୀ ମୁକେଶ ମହାଲିଙ୍ଗଙ୍କ ବିଧାନସଭା ଭିତରେ ବିରୋଧୀ ଦଳର ସଦସ୍ୟଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ ଓ ତାଙ୍କର ଆଚରଣ ଓ ଉଚ୍ଚାରଣକୁ ସମଗ୍ର ରାଜ୍ୟବାସୀ ଦେଖିଛନ୍ତି ।
ଡ଼ ମହାନ୍ତି କହିଛନ୍ତି, ଜୁନ ୨୦୨୪ରେ ବିଜେପି ଶାସନକୁ ଆସିବା ପରେ ଓଡ଼ିଶା ଅନେକ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ବିଶେଷକରି ଆମ୍ୱୁଲାନ୍ସ ବିଫଳତା, ଆୟୁଷ୍ମାନ କାର୍ଡ ବିଫଳତା, ୧୨ରୁ ଊଦ୍ଧ୍ୱର୍ ଜିଲ୍ଲାରେ ହଇଜା ଓ ଡାଇରିଆ ରୋଗ ବ୍ୟାପିବା ଇତ୍ୟାଦି । ଗତ ୧୬ ମାସରେ ପରିଚାଳନାଗତ ବିଫଳତା କାରଣରୁ ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଭୁଶୁଡି ପଡିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଅଧିକାଂଶ ଆମ୍ୱୁଲାନ୍ସ ଭେଣ୍ଟିଲେଟର ବିନା ଚାଲୁଛି । ହିଞ୍ଜିଳିକାଟୁ ନିକଟରେ ଏକ ଆମ୍ୱୁଲାନ୍ସ ଖରାପ ହେବା ଯୋଗୁଁ ରୋଗୀର ମୃତୁ୍ୟ ହେବା ଓ ଅନ୍ୟ ଘଟଣାରେ ଆମ୍ୱୁଲାନ୍ସରେ ଅକ୍ସିଜେନ ନଥିବା କାରଣରୁ ଜଣେ ମହିଳାଙ୍କ ମୃତୁ୍ୟ ହେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲେଇ ଦେଇଥିଲା ।
ଡ଼ ମହାନ୍ତି ଆହୁରି କହିଛନ୍ତି, ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଏସକେୱାଇ ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ଈଝକଣ)ରେ ମିଳୁଥିବା ସୁବିଧା ଗୁଡିକ ଆୟୁଷ୍ମାନ ଯୋଜନାରେ ମିଳୁ ନଥିବାରୁ, ଏହାର ହିତାଧିକାରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଏସକେୱାଇ ଯୋଜନାରେ ରୋଗୀଟିଏ ସିଧାସଳଖ ହସ୍ପିଟାଲରେ ଭର୍ତ୍ତି ହୋଇ ପାରୁଥିବା ବେଳେ, ଆୟୁଷ୍ମାନରେ ଓଟିପି ଭେରିଫିକେସନ ବାଧ୍ୟତାମୂଳକ ହୋଇଥିବାରୁ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇବା ପାଇଁ ୮ରୁ ୧୦ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଏହାଯୋଗୁଁ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଟି ଚିକିତ୍ସା ନପାଇ ମୃତୁ୍ୟବରଣ କରୁଥିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ବିଏସକେୱାଇ ତୁଳନାରେ ଅନେକ ରୋଗର ପ୍ୟାକେଜ ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୫ରୁ ୨୦% ଆୟୁଷ୍ମାନ ଯୋଜନାରେ କମାଇ ଦିଆଯାଇଥିବାରୁ, ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ରୋଗୀମାନେ ଚିକିତ୍ସା ନପାଇ ହନ୍ତସନ୍ତ ହେଉଥିବା ବେଳେ ବିଜେପି ଆୟୁଷ୍ମାନ ସଫଳତାର ଡିଣ୍ଡିମ ପିଟି ଚାଲିଛି ।
୨୦୨୪ର ମଧ୍ୟଭାଗରେ ଓଡ଼ିଶାର ଅନେକ ଜିଲ୍ଲାରେ ହଇଜା ଓ ଡାଇରିଆ ରୋଗର ମାରାତ୍ମକ ପ୍ରକୋପ ଦେଖା ଦେଇଥିଲା । ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ଏହା ୧୨ରୁ ଊଦ୍ଧ୍ୱର୍ ଜିଲ୍ଲାକୁ ବ୍ୟାପିଥିଲା । ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକଙ୍କ ମୃତୁ୍ୟ ହୋଇଥିଲା । ପୂର୍ବ ସରକାରଙ୍କ ସମୟରେ ମ୍ୟାଲେରିଆ ନିୟନ୍ତ୍ରଣରେ ନୂତନ କୀର୍ତ୍ତିମାନ ହାସଲ କରିଥିବା ବେଳେ, ୨୦୨୪ରେ ଓଡ଼ିଶାରେ ମାଲେରିଆ ମାମଲା ୬୩.୬% ବୃଦ୍ଧି ପାଇଥିଲା । ସେହିପରି ଡିସେମ୍ୱର ୨୦୨୪ର ସିଏଜି ରିପୋର୍ଟ ଅନୁଯାୟୀ ଓଡ଼ିଶାର ସରକାରୀ ହସ୍ପିଟାଲରେ ୬୪% ବେଡ଼ ଅଭାବ ରହିଛି । ୪୯% ବିଶେଷଜ୍ଞ ଡାକ୍ତର ପଦ ଖାଲି ରହିଛି । ଅନେକ ହସ୍ପିଟାଲରେ ଶୌଚାଳୟ ଓ ଯନ୍ତ୍ର ସୁବିଧା ଅପର୍ଯ୍ୟାପ୍ତ । ଜୁଲାଇ ୨୦୨୫ରେ ଅନେକ ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଖବର ଆସିଥିଲା ।
ଡ଼ ମହାନ୍ତି କହିଛନ୍ତି, ବିଜେପି ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣର ତାଲିକା ଲମ୍ୱା ହୋଇଚାଲିଛି । ୨୧ ଅଗଷ୍ଟ ୨୦୨୪ରେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ନକଲି ମଦ ପିଇ ୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୮ ଡିସେମ୍ୱର ୨୦୨୪ରେ କନ୍ଧମାଳର ଦାରିଙ୍ଗିବାଡି ବ୍ଲକରେ ଆମ୍ୱ ଡାକୁଆ ଛତୁଆ ଖାଇ ୨ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ୫ ଜଣ ଅସୁସ୍ଥ ହୋଇଥିଲେ । ମାର୍ଚ୍ଚ ୨୦୨୫ରେ ଗଜପତି ଜିଲ୍ଲାର ତୁଳସୀନଗରରେ ଦୁଇ ଜଣ ଦୂଷିତ ଛତୁଆ ଖାଇ ମୃତୁ୍ୟବରଣ କଲେ । ୨୫ ଏପ୍ରିଲ ୨୦୨୫ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ ଖରାପ ହେବା ଯୋଗୁଁ ଜଣେ ମହିଳା ରୋଗୀ ମୃତୁ୍ୟବରଣ କଲେ । ୪ ଜୁନ ୨୦୨୫ରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଦିଆଯିବା ଫଳରେ ୫ ଗୁରୁତର ରୋଗୀଙ୍କ ମୃତୁ୍ୟ ହେଲା । ରାଜ୍ୟ ବିଜେପି ସରକାରଙ୍କ ଏହି ସବୁ ଘଟଣା ପ୍ରତି ନିଘା ନାହିଁ । ବିଜେପିର ମିଛ ପ୍ରଚାର ଜାରି ରହିଛି । ବିଜେପି ସରକାରଙ୍କ ମିଛ ପ୍ରଚାରକୁ ଓଡ଼ିଶାବାସୀ ଏବେ ବୁଝିଗଲେଣି । ଚଳିତ ଉପନିର୍ବାଚନରେ ନୂଆପଡାବାସୀ ବିଜେପି ସରକାରକୁ ଉଚିତ ଜବାବ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା