
ଚମ୍ପୁଆ, , 29 ଅକ୍ଟୋବର (ହି.ସ.)ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଛେଳି ଚାରାଇବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ରାମଚନ୍ଦ୍ରପୁର ଗ୍ରାମର ନିରାଶ ମୁଣ୍ଡା(୫୦) ନିଜ ନାତି ରାଜା ମୁଣ୍ଡା (୧୫) ଓ ସମ୍ପର୍କୀୟ ଦିଅର ମାର୍କଣ୍ଡ ମୁଣ୍ଡା (୫୫) ଙ୍କ ସହ ଗ୍ରାମ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଦିନ ପ୍ରାୟ ଏଗାରଟା ବେଳେ ହଠାତ୍ ବର୍ଷା ହେବାରୁ ତରତର ହୋଇ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ରାଜା ଓ ମାର୍କଣ୍ଡ ସେଠାରୁ ଦୌଡ଼ି ପଳାଇ ଆସିଥିବା ବେଳେ ନିରାଶ ଝୁଣ୍ଟେଇ ହୋଇ ପଡ଼ିଯାଇଥିଲେ। ମହୁମାଛି ଆକ୍ରମଣରେ ସେଠାରେ ନିରାଶଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିରାଶଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ହୋଇଥିବା ମାର୍କଣ୍ଡ ଓ ରାଜା ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta