
କେନ୍ଦୁଝର, ୨୯ ଅକ୍ଟୋବର(ହି.ସ.) – ଖରିଫ ଫସଲ ଯୋଜନା ଓ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ୨୦୨୫ ଋତୁ ପାଇଁ ସର୍ବୋତମ ପ୍ରଦର୍ଶନକାରୀ ଜିଲ୍ଲାଭାବେ କେନ୍ଦୁଝର ଜିଲ୍ଲା ପୁରସ୍କୃତ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଯୋଗୁଁ କେନ୍ଦୁଝର ଜିଲ୍ଲାକୁ ଏହି ସମ୍ମାନ ମିଳିପାରିଛି। ରାଜ୍ୟସ୍ତରରେ ଆୟୋଜିତ ଏକ ବିଶେଷ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଠାରୁ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ସେନାପତି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରି ବ୍ୟୟ ତାଲିକାରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି। ଏଥିରେ ଜିଲ୍ଲାରେ ମୋଟ ୨୪୪୯୮୩ ଶ୍ରମ ଦିବସ ସୃଷ୍ଟି କରାଯାଇ ୭.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ନରେଗାରେ ୨୩୨ ହେକ୍ଟରରେ କାଜୁ ଚାରା, ୭୫ ହେକ୍ଟରରେ ଆମ୍କ ଚାରା ଓ ୮୦୦ ହେକ୍ଟର ଜମିରେ ଛାୟା ବୃକ୍ଷରୋପଣ କରାଯାଇଛି। ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଅଧୀନରେ ଓଡ଼ିଶା କଫି ମିଶନ ଯୋଜନାରେ ଚଳିତ ବର୍ଷ ୨୮ ହେକ୍ଟରରେ କଫି ଚାଷ କରାଯାଇଥିବାବେଳେ ୮୦୦ ହେକ୍ଟର ଜମିରେ ଛାୟା ବୃକ୍ଷ ଯଥା ଆମ୍ବ, ଜାମୁକୋଳି ଓ ସିଲ୍ଭର ଓକ ଆଦି ରୋପଣ କରାଯାଇଥିଲା। ଏଥିରେ ୬୫ଜଣ ହିତାଧିକାରୀ ଲାଭବାନ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅନ୍ତର୍ଗତ ଜଳ ବିଭାଜିକା ଉନ୍ନୟନ ଯୋଜନାରେ ୪୫ଟି ଜଳ ଅମଳ ପ୍ରକଳ୍ପ, ଟ୍ରେଂଚ, ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଥିବାବେଳେ ଜୀବନ ବିକାଶ ଓ ଅଣୁ ଉଦ୍ଯୋଗ କାର୍ଯ୍ଯକ୍ରମ ମାଧ୍ୟମରେ ୭୫୫ ହିତାଧିକାରୀ ଲାଭବାନ ହୋଇଛନ୍ତି। ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୬୦ ଜଣ ହିତାଧିକାରୀ ଉପକୃତ ହୋଇଥିବାବେଳେ ବ୍ୟୟ ଅଟକଳ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରିଛି। ଅଭିନବ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅଧୀନରେ ୯୨ ହେକ୍ଟର ଓ ସରହଦ ବୃକ୍ଷରୋପଣ ଅଧୀନରେ ୨୯୦୦୦ ଚାରାରୋପଣ କରାଯାଇଛି। ଏହି ଯୋଜନା ସମେତ ଓଡ଼ିଶା ଖଣିଜ ବହନ କ୍ଷେତ୍ର ଉନ୍ନୟନ ନିଗମ(ଓଏମବିଏଡିସି) ଅଧୀନରେ ୫୨ଟି କ୍ଷେତ ପୋଖରୀ ନିର୍ମାଣ କରାଯାଇ ବ୍ୟୟ ଅଟକଳର ଶତ ପ୍ରତିଶତ ଖର୍ଚ୍ଚ ହୋଇପାରିଛି। ସେହିପରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ୮୨ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏ ସମସ୍ତ ଯୋଜନାର ସଫଳ ରୂପାୟନ ଯୋଗୁଁ କେନ୍ଦୁଝର ଜିଲ୍ଲାକୁ ଏହି ସମ୍ମାନ ମିଳିପାରିଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA