
କେନ୍ଦୁଝର, 29 ଅକ୍ଟୋବର (ହି.ସ.)
କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦରଠାରେ ପ୍ରସ୍ତାବିତ ସମାକୋଇ ଚକଦର ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିବାପାଇଁ ପୁଣି ମେଳି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆସନ୍ତା ୩୧ତାରିଖରେ ସମାକୋଇ ଚକଦର ସମନ୍ଵୟ ସମିତି ପକ୍ଷରୁ ତେଲକୋଇ ପୂର୍ତ ବିଭାଗ ଡାକବଙ୍ଗଳାଠାରୁ ଏକ ପଟୁଆର ବାହାରି ବଜାର ପରିକ୍ରମା କରିବା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସମାକୋଇ ଚକଦର ସମନ୍ଵୟ ସମିତିର ବରିଷ୍ଠ ଉପଦେଷ୍ଟା ବାବୁଲାଲ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପକୁ ବନ୍ଦ କରିବାପାଇଁ ୪୮ବର୍ଷ ହେଲା ସ୍ଥାନୀୟ ବାସିନ୍ଦା ଦାବି କରିଆସୁଛନ୍ତି। ୧୯୭୮ରେ ପ୍ରସ୍ତାବିତ ସମାକୋଇ ଜଳସେଚନ ପ୍ରକଳ୍ପର ଶୁଭଦିଆଯାଇଥିଲା । ଏହାକୁ ଅନୁଗୁଳ ଜିଲ୍ଲା ପରିବର୍ତ୍ତେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲର କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦରଠାରେ ନିର୍ମାଣ କରିବାପାଇଁ ଅପଚେଷ୍ଟା କରାଯାଉଛି ବୋଲି ସମନ୍ବୟ ସମିତି ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି। ସରକାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁଗୁଳ ଜିଲ୍ଲା ସମାକୋଇ ନଦୀର ଉପର ମୁଣ୍ଡରେ ନିର୍ମାଣ କରିବାକୁ ଦାବି କରାଯାଇଛି। କୌଣସି ପରିସ୍ଥିତିରେ ଚକଦରଠାରେ ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି ସମନ୍ବୟ ସମିତି ସଭାପତି କୈଳାସ ଚନ୍ଦ୍ର ପ୍ରଧାନ ଚେତାବନୀ ଦେଇଛନ୍ତି | ସେହିପରି ଚକଦରଠାରେ ପ୍ରକଳ୍ପ ନିର୍ମାଣ କରାଗଲେ ଶହଶହ ଲୋକ ଭିଟାମାଟି ହରାଇ ବିସ୍ଥାପିତ ହେବେ | ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କାର୍ଯ୍ୟକାରୀ ସଭାପତି କେଶରୀ ରାଉତ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA