
କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମନୋହରପୁର ପଂଚାୟତ ଅନ୍ତର୍ଗତ ଐତିହାସିକ ପର୍ଯ୍ୟଟନସ୍ଥଳୀ ତଥା ଧାର୍ମିକସ୍ଥାନ ସୀତାବିଞ୍ଜ ଠାରେ ଗତ ୨୭ ତାରିଖଠାରୁ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ଦୀର୍ଘ ପାଂଚ ଦିନଧରି ଚାଲିବ ଏହି କାର୍ଯ୍ୟକ୍ରମ । ବିଶ୍ୱଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ସିଦ୍ଧମଠ, କ୍ଷିତିଜ୍ୟୋତି ଆଶ୍ରମ, ଓ ସୀତାବିଂଚ ପରିଚାଳନା କମିଟି କେନ୍ଦୁଝର ଆନୁକୂଲ୍ୟରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭଜନ, କୀର୍ତନ, ପ୍ରବଚନ ସହିତ ହୋମଯଜ୍ଞ, ପ୍ରସାଦ ସେବନ ସହିତ ଠାକୁରଙ୍କ ଅମୃତବାଣୀ ଦିବାରାତ୍ର ଚାଲିଛି। ଆଜି ଦିନବେଳା ପଂଚକର୍ମ, ସୂର୍ଯ୍ୟ ପୂଜା, ଗୋ ପୂଜା, ସର୍ବ ଦେବାଦେବୀ ପୂଜା, ପଂଚ ଦେବତାଙ୍କ ଆଦୃତ, ସମ୍ପୂର୍ଣ୍ଣ ଗୀତାପାଠ, ସାକଲ୍ୟ, ଘୃତ, ଆହୁତି ହୋଇଥିଲା। ସନ୍ଧ୍ୟାରେ କେଶବଚନ୍ଦ୍ର ଠାକୁରଙ୍କ ଦିବ୍ୟ ଆଳତି, ପୁଷ୍ପାଞ୍ଜଳି, ତର୍ପଣ, ଆଦିକର୍ମ କାର୍ଯ୍ୟ ହୋଇଥିଲା। ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ବିଶ୍ୱମ୍ବର ଦାସ, କମଳପ୍ରସାଦ ଦାସ ମୁଖ୍ୟ ପୁରୋଧା ଥୂବାବେଳେ ତାଙ୍କ ସହିତ ଆହୁରି ୨୨ ଜଣ ପୂଜକ ଯୋଗଦେଇଛନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଆସି ଯୋଗ ଦେଇଛନ୍ତି। ସ୍ଥାନୀୟ ସ୍ୱେଚ୍ଛାସେବୀ, ସାମ୍ବାଦିକ, ଯୁବକର୍ମୀ ତଥା ଢେଙ୍କିକୋଟ ଫାଣ୍ଡି ପୁଲିସ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦେଉଛନ୍ତି। ମନ୍ତ୍ରପାଠ, ହୋମଯଜ୍ଞ, ସହିତ ରାମନାମ କୃଷ୍ଣନାମରେ ପରିବେଶ ଭକ୍ତିମୟ ହୋଇପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA