
କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀରେ ଚାଲିଥିବା ବାଲି ସତ୍ୟାଗ୍ରହ ୬ଦିନରେ ପହଂଚିଛି। ପ୍ରବଳ ବର୍ଷା, ପବନ ସତ୍ୱେ ଶତାଧିକ ସତ୍ୟଗ୍ରହୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସତ୍ୟାଗ୍ରହୀଙ୍କ ଦୃଢ଼ତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଂଚର ଆବାହକ ଯଜ୍ଞ ପ୍ରସାଦ ସାହୁ ସତ୍ୟାଗ୍ରହର ନେତୃତ୍ୱ ନେଇ ବାଲି ମାଫିଆଙ୍କ ବିରୋଧରେ ବିଶୋଦଗାର କରିଥିଲେ।
ସମସ୍ତ ବେଆଇନ ଘାଟରେ ନିୟୋଜିତ ଥିବା ବଡ ବଡ ମେସିନକୁ ଜବତ କରାଯାଉ। ଘାଟ ଚଳାଉଥିବା ମାଫିଆଙ୍କୁ ଗିରଫ କରାଯିବା ସହ ଲୁଟ୍ କରିଥିବା ବାଲି ପରିମାଣକୁ ମାପା ଯାଇ ଜୋରିମାନା ଆଦାୟ କରିବାକୁ ଯଜ୍ଞ ପ୍ରସାଦ ସାହୁ ଦାବି କରିଛନ୍ତି। ଜୋରିମାନା ଆଦାୟ ସହ ମାଫିଆ ଓ ତାଙ୍କ ସହଯୋଗୀଙ୍କ ସମ୍ପତି ବ୍ୟାଜପ୍ତି ପାଇଁ ସେ ଦାବି କରିଛନ୍ତି। ବିଭିନ୍ନ ସ୍ଥାନରେ ବେଆଇନ ଘାଟ ପାଇଁ କଟା ଯାଇଥିବା ଗଛ ବାବଦ କ୍ଷୟକ୍ଷତି ଆକଳନ କରିବାକୁ ଶ୍ରୀ ସାହୁ କହିଛନ୍ତି। ସେହିପରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କୁମଡ ଘାଟ ବେଆଇନ ଭାବେ ଚାଲିବା ଯୋଗୁ ଠେକୁଆ, ଝିଙ୍କ ଆଦି ବନ୍ୟ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଏଥିପାଇଁ ବନ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି।
ଆଜିର ସତ୍ୟାଗ୍ରହରେ ପୂର୍ବତନ ସରପଂଚ ଗୋପାଳ ସେଠୀ, ସତ୍ୟବ୍ରତ ଜେନା, ଆଲୋକ ବେହେରା, ବିଜୟ ସାହୁ, ସୁଲି ଜେନା, ଅହଲ୍ୟା ସାହୁ, ରିତାଞ୍ଜଳି ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା, ଶୁଭଲକ୍ଷ୍ମୀ ନନ୍ଦ, ଜୟ ନାରାୟଣ ଜେନା, ମହେନ୍ଦ୍ର ପଣ୍ଡା, ନଟବର ମହାରଣା, ରାମଚନ୍ଦ୍ର ସାହୁ, ସୁଦର୍ଶନ ସାହୁ, ଶ୍ରୀଧର ଜେନା, ଗଣେଶ ଜେନା, ଶୁକଦେବ ପଣ୍ଡା , ସୁବାସ ଜେନା, କିଶୋର ଜେନା, ନାରାୟଣ ଓଝା, ନଟବର ବେହେରା, ଅଲେଖ ଜେନା, ପରୀକ୍ଷିତ ଜେନା, କ୍ଷୀରୋଦ ସାହୁ, ନୀଳମଣି ଜେନା, ନରହରି ଜେନାଙ୍କ ସମେତ ୩ଶହରୁ ଅଧିକ ସତ୍ୟଗ୍ରହୀ ସାମିଲ ହୋଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିଛି। ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସତ୍ୟଗ୍ରହୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିଷ୍କର୍ଷ ବାହାରି ପାରି ନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA