



ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଂଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର ମୁକେଶ ଭାମୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦଣ୍ଡସନା, ସମ୍ବଲପୁର ଖଣ୍ଡ ଦୁର୍ନୀତି ନିବାରଣ ବିଭାଗ ଏସପି ପ୍ରଦ୍ଯୁମ୍ନ କୁମାର ଦିବେଦୀ, ଆଇଏଏସ ପ୍ରୋବେସନାରୀ ସୁଭ୍ରା ପଣ୍ଡା ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ। ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ସମାରୋହରେ ଜିଲ୍ଲାପାଳ ଯୋଗଦେଇ ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ହେଲେ ଆମକୁ ସଚ୍ଚୋଟ ଓ ସତ୍ୟନିଷ୍ଠ ହେବାକୁ ପଡିବ ବୋଲି କହିଥିଲେ। ଦୁର୍ନୀତି ବିରୋଧରେ ଲଢ଼ିବା କେବଳ ଆମ ପ୍ରଶାସନର ଏକ କର୍ତବ୍ୟ ନୁହେଁ, ଏହା ସହ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ମଧ୍ୟ ରହିଛି। ଦୁର୍ନୀତି ଯୋଗୁଁ ସାଧାରଣ ଲୋକଙ୍କ ବିଶ୍ୱାସ ଆମ ବ୍ୟବସ୍ଥା ଉପରେ ଭାଙ୍ଗିଯାଏ, ଆମ ଶାସନ ର ମୂଳଦୁଆ କୁ ଦୁର୍ବଳ କରି ଦେଇଥାଏ । ତେଣୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତିରୁ ଦୂରେଇ ରହି ସଚ୍ଚୋଟତାର ସହ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତର ଆଇନ ବିଭାଗ (ପିଜି ଲ) ସହାୟକ ଅଧ୍ୟକ୍ଷ ଡ. ପ୍ରୟାସ ଦନସନା ଯୋଗ ଦେଇ ଦେଶକୁ ଚଳେଇବା ପାଇଁ କିଛି ଲୋକଙ୍କୁ ପାୱାର ଦିଆଯାଇଛି କିନ୍ତୁ ସେହି ପାୱାର କୁ କେମିତି ମିନିଟର କରିବା ତାହା ଆମ ଉପରେ ନିର୍ଭର କରେ। ସେଥିଲାଗି ଆମକୁ ଜାଗୃତ ହେବାକୁ ପଡ଼ିବ, ଏହା ବିଶେଷ କରି ଯୁବବର୍ଗଙ୍କ ପାଇଁ ବହୁତ ଜରୁରୀ କାରଣ ସେମାନେ ଆମ ଦେଶ ର ଭବିଷ୍ୟତ ବୋଲି ସେ ମତ ବ୍ୟକ୍ତ କରିଥିଲେ। କରପ୍ସନ ପର୍ସେପଶନ ଇଣ୍ଡେକ୍ସ ରେ ଭାରତ ର ରାଙ୍କ ୯୬ ଅଛି ବୋଲି ସୂଚନା ଦେଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ କେବଳ ପ୍ରଶାସନିକ ଅଧିକାରୀ ଙ୍କର ଦାୟିତ୍ୱ ନୁହେଁ, ଏହା ଆମର ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ ଓ ଆରଟିଆଇ ଏକ ଏମିତି ସରକାରୀ ବ୍ୟବସ୍ଥା ଯାହା ସାଧାରଣ ଲୋକମାନଙ୍କୁ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା କ୍ଷମତା ପ୍ରଦାନ କରେ।ତେଣୁ ସରକାରଙ୍କ ଦ୍ୱାରା ପ୍ରଚଳିତ ନିୟମ କାନୁନ ଅଛି ଯାହାକୁ କାଗଜକଲମରେ ସୀମିତ ନରଖି ତାହାର ଉଚିତ ସଦୁପଯୋଗ କରିବାକୁ ଡ. ପ୍ରୟାସ ଦନସନା ପରାମର୍ଶ ଦେଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ କରିବା ହେଲେ ସମାଜ ସବୁ କ୍ଷେତ୍ରରେ ସୁଶାନ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ପୂର୍ବରୁ ବିଭିନ୍ନ ସ୍କୁଲ ମାନଙ୍କରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ବିଜେତାଙ୍କୁ ଆଜିର ସଭାରେ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟିକ ଗୋଷ୍ଠୀର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ