

ପୁରୀ, ୨୯ ଅକ୍ଟୋବର (ହି.ସ.) - ବାତ୍ୟା ମୋନ୍ଥାର ପ୍ରଭାବରେ ସମୁଦ୍ରର ଘୁ ଘୁ ଗର୍ଜନ ସାଇଁସାଇଁ ପବନ ତୁହାକୁ ତୁହା ଲହରା ବର୍ଷା ବୁଧବାର ସଂଧ୍ୟା ସୁଦ୍ଧା ଆସ୍ତେ ଆସ୍ତ କମିବାରେ ଲାଗିଛି । ପୁରୀକୁ ଆସିଥିବା ହଜାର ହଜାର ପର୍ଯ୍ୟଟକ ଫେରିଯାଇଥିବା ବେଳେ ପର୍ଯ୍ୟଟକ ପୁରୀ ଆସିବା ବନ୍ଦ ହୋଇଯାଇଛି । ବାତ୍ୟା ଯୋଗୁ ପର୍ଯ୍ୟଟକ ଚିଲିକାର ଡଲଫିନ ଓ ମୁହାଣକୁ ଯିବା ପାଇଁ ବାରଣ କରାଯାଇଛି । ନନ୍ଦନକାନନ ଚିଡିଆଖାନା ବନ୍ଦ ହୋଇଥିବାରୁ ପୁରୀରେ ଥିବା ପର୍ଯ୍ୟଟକ ମାନେ ଟୁର ଆଣ୍ଡ ଟ୍ରାଭେଲରେ କରାଯାଇଥିବା ଟିକେଟକୁ ବାତିଲ କରାଯାଇଛି । ସେହିପରି କୋଣାର୍କ ମନ୍ଦିରରେ ପାଣି ଜମିଥିବାରୁ ପର୍ଯ୍ୟଟକ ମାନଙ୍କୁ ଛଡାଯାଉନାହିଁ । ଦକ୍ଷିଣ ଭାରତରୁ ପୁରୀକୁ ଆସୁଥିବା ଟ୍ରେନ ଗୁଡିକ ବାତିଲ କରାଯାଇ ଥିବାରୁ ପୁରୀକୁ ପର୍ଯ୍ୟଟକ ଆସି ପାରୁନାହାନ୍ତି । ବୁଧବାର ବର୍ଷା ପବନ କମିବାରୁ ବଙ୍ଗୀୟ ପର୍ଯ୍ୟଟକ ମାନେ କଲିକତା ଫେରିଯାଇଛନ୍ତି । ସୌନ୍ଦର୍ଯ୍ୟମୟ ପୁରୀ ବେଳାଭୂମି ଏବେ ଖାଁ ଖାଁ ଲାଗୁଛି । ଉଠାଦୋକାନୀ ଓ ସମୁଦ୍ରକୂଳ ବ୍ୟବସାୟୀ ମାନେ ସେମାନଙ୍କ ପସରା ବନ୍ଦ କରିଛନ୍ତି । ଲାଇଫ ଗାର୍ଡ ଓ ପୋଲିସ ସମୁଦ୍ରକୂଳ ଜଗି ରହିଛନ୍ତି। କିଛି ଘରୋଇ ହବିଷ୍ୟାଳି ସମୁଦ୍ରରେ ସ୍ନାନ କରି ବାଲି ଚଉରା ମୂଳେ ପୂଜା କରିବାକୁ ଯାଉନାହାନ୍ତି । ପେଣ୍ଠକଟା ଓ ବଳିଆପଣ୍ଡାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବନ୍ଧା ହୋଇ ରହିଛି । ସମୁଦ୍ରକୁ ମାଛ ଧରିବା ପାଇଁ ଯାଉନଥିବା ବେଳେ ପେଣ୍ଠକଟା ସମୁଦ୍ରକୂଳ ଏବେ ଜନଶୂନ୍ୟ । ଲାଇଟ ହାଉସ ଠାରୁ ଷ୍ଟ୍ରଲିନ ପର୍ଯ୍ୟନ୍ତ କାଉ କୋଇଲି ଉଡୁ ନାହାନ୍ତି । ଟୁର ଟ୍ରାଭେଲ ଗାଡି ଗୁଡିକ ହୋଟେଲ ପାଖରେ ପଡି ରହିଛି । ଦିଗବାରେଣୀ ଠାରୁ କୋକପାମ ପର୍ଯ୍ୟନ୍ତ ରାସ୍ତା ପାର୍ଶରେ ଥିବା ଦୋକାନ ଗୁଡିକ ବନ୍ଦ ରହିଛି । ବାତ୍ୟାର ପ୍ରଭାବରେ ସମୁଦ୍ରକୂଳ ଶ୍ରୀହୀନ ଜଣାପଡୁଛି । ବାତ୍ୟା ଦୁର୍ବଳ ହୋଇ ଡିପ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ