
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଗତ ୬ ଘଂଟାରେ ବାତ୍ୟା ମନ୍ଥା ୧୫ କିମି ପ୍ରତି ଘଂଟା ବେଗରେ ଉତର ଉତର ପଶ୍ଚିମ ଦିଗକୁ ଗତିକରି ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆନ୍ଧ୍ରପ୍ରଦେଶ ସଂଲଗ୍ନ ତେଲେଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ଉତର ଉତର ପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଆଜି ବିଶେଷ ପ୍ରଭାବ ନାହିଁ । କିନ୍ତୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଆଜି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ଏସବୁ ସ୍ଥାନରେ ୩୦-୪୦ କିମି ପ୍ରତିଘଣ୍ଟା ଝଟକା ପବନ ସହ ବର୍ଷା ହେବା ସମ୍ଭାବନା ରହିଛି । ପୁରା ରାଜ୍ୟକୁ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ବର୍ଷା ବହୁ ପରିମାଣରେ କମିବ । ଉପକୂଳ ଜିଲ୍ଲା ଗୁଡିକ ସମେତ ଉତର ଓଡିଶା ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଝଟକା ପବନ ସହ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
ବାତ୍ୟା ମୋନ୍ଥା ମଛଲୀପାଟନାମ ଓ କଳିଙ୍ଗ ପାଟନାମ ମଝିରେ କାକିନାଡ଼ା ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଇଥିଲା । ଯାହାକି କାକିନାଡ଼ା ଠାରୁ ଦକ୍ଷିଣକୁ ପ୍ରାୟ ୧୦୦ କିଲୋମିଟର ଦୂର ନରସାପୁରା ଠାରେ ସ୍ଥଳଭାଗ ଛୁଇଁଲା। ଟ୍ରାକ ରେ ସାମାନ୍ୟ ପରିବର୍ତନ କାରଣରୁ ଓଡ଼ିଶାରେ ବର୍ଷାର ପରିମାଣ ସାମାନ୍ୟ କମ ରହିଥିଲା । ସର୍ବାଧିକ ବର୍ଷା ଗଜପତି ଜିଲ୍ଲାର ଗୋଶାଣୀଠାରେ ୧୫୦.୫ ମିମି ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁର ୧୭୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ୩୧ ସ୍ଥାନରେ ପ୍ରବଳ ବର୍ଷା ଓ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ୱିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ସିଷ୍ଟମ ବର୍ତମାନ ମାଲକାନଗିରି ଠାରୁ ୧୩୦ କିମି ଦୂରରେ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା