
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ପରବର୍ତୀ ସମୟରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଏବଂ ମେଡିକାଲ କଲେଜ୍ ଓ ହସପିଟାଲ ଗୁଡିକ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଜି ପୂର୍ବାହ୍ନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ଦିଆଯିବା ସହ ପରୀକ୍ଷା କରାଯାଉଛି । ସେମାନଙ୍କ ମଧ୍ୟରେ ୧୦୬୧ ଜଣ ମହିଳା ନିରାପଦ ମାତୃତ୍ୱ ଲାଭ କରିଛନ୍ତି । ଏଥିରେ ବାଲେଶ୍ୱର, ଗଜପତି, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ର ମହିଳା ଅଛନ୍ତି ।
ସେହିପରି କ୍ଷେତ୍ରସ୍ତରୀୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବଟିକା, ଓ.ଆର.ଏସ ଦ୍ରବଣ, ସାପକାମୁଡ଼ା ଇଞ୍ଜେକସନ, ବ୍ଳିଚିଂ ପାଉଡର ପ୍ୟାକେଟ ମହଜୁଦ ରଖାଯାଇଛି । ଏହା ସହ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଓ ଜରୁରୀକାଳୀନ ଔଷଧ, ଅକ୍ସିଜେନ ସିଲିଣ୍ଡର, ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ସହ ଏସବୁ ସମ୍ବନ୍ଧରେ ତୁରନ୍ତ ତଥ୍ୟ ସଚେତନତା ପ୍ରସାରଣ ବ୍ୟବସ୍ଥା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା