
ପୁରୀ, ୨୯ ଅକ୍ଟୋବର (ହି.ସ.)- ଧର୍ମମାସ କାର୍ତ୍ତିକ । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି ହେଉଛି । ପର୍ଯ୍ୟଟକ, ତୀର୍ଥଯାତ୍ରୀ, ହବିଷ୍ଯାଳି ବ୍ରତଧାରୀ ଓ ଭକ୍ତ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ବହୁ ସମୟ ଅପେକ୍ଷା କରି ଭକ୍ତ ଓ ଶ୍ରଦ୍ଧାଳୁ ବ୍ଯାରିକେଡ ଦେଇ ଯାଉଛନ୍ତି । ନୂଆଦିଲ୍ଲୀର ମୁଲଚାନ୍ଦ ଗୁପ୍ତା (୭୬) ବୃଦ୍ଧ ସିଂହଦ୍ଵାର ଦେଇ ବାଇଶିପାହାଚରେ ଯାଉଥିବା ସମୟରେ ହଠାତ ତଳେ ପଡି ଆହତ ହୋଇଥିଲେ । ଆହତ ବୃଦ୍ଧଙ୍କୁ ତାଙ୍କ ସମ୍ପର୍କୀୟ ଓ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମ୍ପର୍କୀୟ ମାନଙ୍କ ସହ ପୁରୀ ଆସି ମୁଲଚାନ୍ଦ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ଏବେ କାର୍ତ୍ତିକ ମାସରେ ସରକାରୀ ଓ ବେସରକାରୀ ହବିଷ୍ଯାଳିଙ୍କ ସଂଖ୍ଯା ବୃଦ୍ଧି ପାଇଛି । ପ୍ରତିଦିନ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ସାକ୍ଷତ କରି ସେମାନେ ମଧ୍ୟ ଶ୍ରୀମନ୍ଦିରକୁ ଯାଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧବୃଦ୍ଧା ମାନେ ବାଇଶିପାହାଚରେ ଚଢିବା କଷ୍ଟଦାୟକ ହୋଇପଡୁଛି । ଅନ୍ୟପକ୍ଷରେ ସିଂହଦ୍ଵାର ପଟେ ସମସ୍ତେ ପ୍ରବେଶ କରୁଥିବାରୁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଯୋଗୁ ଶ୍ରଦ୍ଧାଳୁ ମାନେ ଧୈର୍ଯ୍ୟହରା ହୋଇପଡୁଛନ୍ତି । ଶ୍ରଦ୍ଧାଳୁ ଓ ଭକ୍ତମାନେ ମନ୍ଦିର ବାହାରେ ଧାଡିରେ ଯାଉଥିବା ବେଳେ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ହୋଇ ପାରୁନଥିବା ଭକ୍ତ ମାନେ କହୁଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ