ପୁରୀ, ୩ ଅକ୍ଟୋବର (ହି.ସ.)- ଶ୍ରୀମନ୍ଦିରରେ ଆଜି ଠାରୁ କାର୍ତିକ ନୀତି ଆରମ୍ଭ ହୋଇଛି । ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତି । ଆଶ୍ୱିନ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥି ଠାରୁ କାର୍ତିକ ଶୁକ୍ଲ ଦଶମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି । ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ କାର୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ ।
ଏହି ବେଶରେ ଲାଗିହୋଇଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା - ସୁବର୍ଣ୍ଣ ଘାଗଡା- ତିନି, କଟି ଓଡିଆଣି-ତିନି, ଚନ୍ଦ୍ରସୂର୍ଯ୍ୟ ମସ୍ତକରେ ତିନି, ଚନ୍ଦ୍ରିକା ତ୍ରିମୁଣ୍ଡି ଚୂଳର ଅଗ୍ରଭାଗରେ- ଦୁଇ, ତିଳକ ଦୁଇ, ନଳୀଭୂଜ ହସ୍ତରେ-ଚାରି, କୁଣ୍ଡଳ-ଚାରି, ତଡଗି-ଦୁଇ ।
ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗି ହୋଇଛି । ଫୁଲଠାରୁ ଅଧିକା ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଛି । ହସ୍ତରେ ନଳୀଭୂଜ ଶୋଭାପାଉଛି । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଛି । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଉଛି । କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡ଼ା, ପହରଣ, ବଳା, ଅଧରବଳା ଓ ଉତରୀୟ ଲାଗି ହୋଇଛି । ଏହି ସମୟରେ ଏକ ଅଧିକ ଭୋଗ ବାଳଭୋଗ ହୁଏ । ବାଳଭୋଗରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ଭୋଗ ହୋଇଛି । ଶ୍ରୀଜୀଉଙ୍କ ରାଧାଦାମୋଦର ବେଶ ଦର୍ଶନ କଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
କାର୍ତିକ ପଚୁଂକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଂଚଗୋଟି ବେଶ ହୁଏ । ଯଥା - ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ରାଜରାଜେଶ୍ୱର ବେଶ ।
ଆଜି ଠାରୁ ଶ୍ରୀମନ୍ଦିରରେ କାର୍ତିକ ନୀତି ଆରମ୍ଭ ହୋଇଥିବା ବେଳେ କୁମାରୀପୂର୍ଣ୍ଣମୀ ଠାରୁ ହବିଷ୍ୟାଳୀ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ରହଣି କେନ୍ଦ୍ରରେ ରହିବା ସହ ପୂଜାର୍ଚ୍ଚନା କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ